କନକ ବ୍ୟୁରୋ : ସଂଘର୍ଷର ଯନ୍ତ୍ରଣା ଭିତରେ ସଫଳତାର କାହାଣୀ । ଅନ୍ଧକାର ବର୍ତ୍ତମାନକୁ ଉଜ୍ଜ୍ବଳ ଭବିଷ୍ୟତରେ ପରିଣତ କରିବା ପାଇଁ ସଂଘର୍ଷ କରୁଥିବା ବେଳେ ଲକ୍ଷ୍ୟ ପୂରଣ ପାଇଁ ଅର୍ଥ ସାଜିଛି ବାଧକ । ମେଧାବୀ ଛାତ୍ରଙ୍କ ସଂଘର୍ଷ, ବିନା କୋଚିଂରେ ନିଟ୍‌ ପରୀକ୍ଷାରେ ମିଳିଛି ସଫଳତା । କେବଳ ୟୁଟ୍ୟୁବରୁ ପାଠପଢ଼ି ନିଟ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ । ହେଲେ ବ୍ୟୟ ବହୁଳ ଡାକ୍ତରୀ ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ବ୍ଲକ ମେଧାବୀ ଛାତ୍ର ଡାକ୍ତରୀ ଶିକ୍ଷା ପାଇଁ ସରକାରୀ ସହାୟତା ଅପେକ୍ଷାରେ ।

Advertisment

ଅଭାବ ଭିତରେ ବି ହାର୍ ମାନିନାହାନ୍ତି । ସଂଘର୍ଷ ବଳରେ ନିଜ ଅଧ୍ୟବସାୟ ଜାରି ରଖିଛନ୍ତି । ହେଲେ ଦେଖୁଥିବା ସ୍ୱପ୍ନ ପାଇଁ ଏବେ ଅର୍ଥ ନାହିଁ । ଏ ହେଉଛନ୍ତି ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ସଦର ବ୍ଲକ ଭତରା ସାହିରେ ରହୁଥିବା ଦଳେଶ୍ୱର ପୂଜାରୀ , ସ୍ବପ୍ନ ତାଙ୍କର ଡାକ୍ତର ହେବେ । ପରିବାର କହିଲେ କେବଳ ମା’ । ଦୁଃଖ କଷ୍ଟ ସହି ପୁଅକୁ ମଣିଷ କରିଛନ୍ତି । ହେଲେ ଦଳେଶ୍ବରଙ୍କ ମନରେ ଆଗକୁ ବଢ଼ିବାର ଅଦମ୍ୟ ଇଚ୍ଛା । ଦଳେଶ୍ୱର ମାଟ୍ରିକ ପରୀକ୍ଷାରେ ୮୦ ପ୍ରତିଶତ ନମ୍ବର ।  ଯୁକ୍ତ ଦୁଇ ବିଜ୍ଞାନରେ ୮୮ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ । ଉଚ୍ଚ ଶିକ୍ଷା ପାଇଁ ଦାଦନ ଖଟି ରୋଜଗାର ଟଙ୍କାରେ ବହି ଖାତା କିଣିବା ସହ ଫୋନରେ ୟୁଟ୍ୟୁବରୁ ପଢ଼ୁଥିଲେ ପାଠ । ନିଟ୍ କ୍ଲିଅର କରି ଏବେ କୋରାପୁଟ ମେଡିକାଲ କଲେଜରେ ସିଟ୍  ପାଇଛନ୍ତି । ହେଲେ ଆଡମିସନ ପାଇଁ ଅର୍ଥ ନାହିଁ। ପାଞ୍ଚ ବର୍ଷର ଡାକ୍ତରୀ ପଢ଼ା ପାଇଁ ହାରାହାରି ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ । ଏତେ ଟଙ୍କା କେଉଁଠୁ ଯୋଗାଡ଼ କରିବେ । ଡାକ୍ତର ହେବାର ସ୍ବପ୍ନ କେମିତି ପୂରଣ କରିବେ । ସେନେଇ ଚିନ୍ତାରେ ପଡ଼ିଛନ୍ତି ଦଳେଶ୍ୱର । 

ଦଳେଶ୍ୱର ପୂଜାରୀଙ୍କ ଭବିଷ୍ୟତ ପାଇଁ ପ୍ରତିବନ୍ଧକ ସାଜିଛି ଅର୍ଥ । ସତରେ କ’ଣ ଛାତ୍ରଙ୍କ ସ୍ବପ୍ନ ସାକାର ହେବନି ? ଏମିତି ଅନେକ ପ୍ରଶ୍ନ ଉଠୁଛି। ଏଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦଳେଶ୍ୱରଙ୍କ ଡାକ୍ତରୀ ପାଠପଢ଼ା ଦାୟିତ୍ୱ ନେବାକୁ ଦାବି ହୋଇଛି। ଜଣେ ଗରିବ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ପାଇଁ ସାହାଯ୍ୟ କରିବାକୁ ଅନୁରୋଧ ହୋଇଛି । ମେଧାବୀଙ୍କ ଛାତ୍ର ଦଳେଶ୍ୱରଙ୍କ ଡାକ୍ତରୀ ଶିକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଯାଇପାରିଲେ ଜଣେ ଗରିବ ଛାତ୍ର ନିଜ ସ୍ୱପ୍ନ ପୂରଣ କରିପାରିବ ।