କନକ ବ୍ୟୁରୋ : ସମୁଦ୍ରରୁ ଧରାହେଲା ସନ୍ଦିଗ୍ଧ ପାରା। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ାରୁ ଆସିଛି ଖବର। ଜଣେ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ପାରାଟି ଉଡ଼ି ଆସି ଡଙ୍ଗାରେ ବସିଥିଲା । ମହାକାଳପଡ଼ା ବ୍ଲକ ଜମ୍ବୁ ଗାଁର ରତନ ଦାସଙ୍କ ମାଛଧରା ବୋଟରେ ପାରାଟି ଲାଗିଥିଲା। ପାରାର ଦୁଇ ଗୋଡ଼ରେ ଏକ ଟ୍ୟାଗ ଲାଗିଛି । ଯେଉଁଥିରେ ଇଂରାଜୀ ଅକ୍ଷରରେ ସିଏଚ୍‌ଏନ୍-୧୯-୨୦୨୪ ମସିହା ଲେଖା ରହିବା ସହିତ ୯୮୮୮୨୨ ବୋଲି ଏକ ନମ୍ବର ମଧ୍ୟ ରହିଛି । ଏହା ସହିତ ପାରାର ଡେଣାରେ ଥିବା ପରରେ ଅନ୍ୟ ଦେଶର ଭାଷାରେ କିଛି ଲେଖା ରହିଥିବା ମଧ୍ୟ ରତନ ସୂଚନା ଦେଇଛନ୍ତି । ଉଦ୍ଧାର ପାରାକୁ ରତନ ଜମ୍ବୁ ରେଂଜ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି । ତେବେ ସମୁଦ୍ରରୁ ଟ୍ୟାଗ୍ ଲାଗିଥିବା ଏପରି ଏକ ସନ୍ଦିଗ୍ଧ ପାରା କେଉଁଠୁ ଆସିଲା , ତାହା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।