କନକ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଲାଗି ରହିଥିବା ଅପେକ୍ଷାର ଅନ୍ତ ଘଟିଛି । ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ତେବେ ଯେଉଁମାନେ ପାଇନାହାନ୍ତି ସେମାନଙ୍କୁ ଡିସେମ୍ବର ସୁଦ୍ଧା ଟଙ୍କା ମିଳିବ ବୋଲି ଆଶ୍ବାସନା ଦେଇଛନ୍ତି ସରକାର ।
- ମହିଳାଙ୍କୁ ପୂଜା ଭେଟି
- ଆସିଲା ସୁଭଦ୍ରା ଟଙ୍କା
ପାର୍ବଣ ପୂଜା ଅବସରରେ ମହିଳାଙ୍କୁ ଭେଟି ଦେଇଛନ୍ତି ମୋହନ ସରକାର । ବାରିପଦାରେ ଆୟୋଜିତ କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଦଶହରା ଅବସରରେ ସୁଭଦ୍ରା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ୩୫ଲକ୍ଷ ମହିଳାଙ୍କ ଖାତାକୁ ଆସିଛି । ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୫ ହଜାର ଲେଖାଏଁ ଟଙ୍କା ଆସିଛି । ଏଥିସହ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଥିବା ପ୍ରଥମ ଓ ଏକ କୋଟି ତମ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଗେଟ କରିବା ସହ ମହିଳାଙ୍କ ବିକାଶ ପାଇଁ ଡବଲ ଇଞ୍ଜିନ ସରକାର କାମ କରୁଛି ବୋଲି କହିଛନ୍ତି ।
ସୁଭଦ୍ରା ଯୋଜନା କେମିତି ନୂଆ ରେକର୍ଡ କରିଛି ସଭାମଞ୍ଚରେ ବଖାଣିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଗୋଟିଏ ଯୋଜନାରେ ୨ ମାସରେ ୧ କୋଟି ମହିଳା ଯୋଡି ହେବା ଏକ ରେକର୍ଡ ବୋଲି କହିଛନ୍ତି । ତେବେ ଯେଉଁମାନେ ବାଦ ପଡିଛନ୍ତି, ସେମାନଙ୍କୁ ଡିସେମ୍ବର ଶେଷ ସୁଦ୍ଧା ସୁଭଦ୍ରା ଟଙ୍କା ମିଳିବ ବୋଲି ପୁଣି ଆଶ୍ବାସନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନାରେ ଟଙ୍କା ଆସିବା ନେଇ ମୋବାଇଲକୁ ମେସେଜ ଆସିବା ପରେ ମହିଳା ଉତ୍ସାହ ବଢ଼ିଯାଇଛି । କିନ୍ତୁ ଯେଉଁମାନଙ୍କ ଖାତାକୁ ଟଙ୍କା ଆସିନି ସେମାନେ ଏବେ ବି ମୋବାଇଲକୁ ଅନେଇ ବସିଛନ୍ତି।
ଏପର୍ଯ୍ୟନ୍ତ ୧କୋଟି ୬ହଜାର ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ମହିଳାଙ୍କୁ ଟଙ୍କା ମିଳିଛି । ଆହୁରି ୪୦ଲକ୍ଷରୁ ଆବେଦନକାରୀ ମହିଳା ଟଙ୍କା ପାଇବା ଅପେକ୍ଷାରେ ଅଛନ୍ତି ।