କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବାରିମୂଳ ମତ୍ସ୍ୟ ବିଭାଗର ମତ୍ସ୍ୟ ଫାର୍ମ । ୪ ହେକ୍ଟର ଜାଗାରେ ୧୪ଟି ପୋଖରୀ ରହିଛି । ମତ୍ସ୍ୟ ବିଭାଗ କାର୍ଯ୍ୟାଳୟକୁ ଲାଗିଥିବା ଏହି ପୋଖରୀରେ ଯାଆଁଳ ଓ ମାଛ ଉତ୍ପାଦନ ସହିତ ପରୀକ୍ଷା ନୀରିକ୍ଷାର ବ୍ୟବସ୍ଥା ରହିଛି । କିନ୍ତୁ ସବୁ ଚାଲିଛି କାଗଜ କଲମରେ । ଦଳମୟ ପରିତ୍ୟକ୍ତ ଅବସ୍ଥାରେ ରହିଛି ପୋଖରୀ ଗୁଡ଼ିକ । ୩ ବର୍ଷ ତଳୁ ପୋଖରୀଗୁଡ଼ିକର ପୁନଃଉଦ୍ଧାର ଆରମ୍ଭ କରିଥିଲା ବିଭାଗ । ୨ଟି ପୋଖରୀର ଦଳ ସଫା ପରେ କାମ ଠପ୍ ହୋଇଯାଇଛି । ଆଉ କାହାର ଦେଖା ଦର୍ଶନ ନାହିଁ ।
ଦଳ ସଫା ନାଁରେ ଦୁର୍ନୀତି ହେଉଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି । ବଜେଟ୍ରେ ମତ୍ସ୍ୟ ସମ୍ପଦ ପାଇଁ ହେଇଥିବା ବ୍ୟୟବରାଦ କେଉଁଠି କେମିତି ଖର୍ଚ୍ଚ ହେଉଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । କାର୍ଯ୍ୟ ଆରମ୍ଭ କରିଥିବା ଠିକା ସଂସ୍ଥା କାମ ଛାଡ଼ି ଚାଲିଯିବାରୁ ଏଭଳି ଅବସ୍ଥା ହୋଇଥିବା ସଫେଇ ରଖିଛନ୍ତି ଅଧିକାରୀ । ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ପୋଖରୀର ରକ୍ଷଣାବେକ୍ଷଣ ସଠିକ୍ ଢଙ୍ଗରେ ହେଉନଥିବା ବେଳେ ଅନ୍ୟ ସ୍ଥାନରେ କିଭଳି କାମ ଚାଲିଥିବ ତାହା ସନ୍ଦେହ ସୃଷ୍ଟି କରୁଛି ।