କନକ ବ୍ୟୁରୋ: ’ମୁଁ ବି ଭଲପାଇଥିଲି ।  ମୋ ଭଲପାଇବା ଥିଲା ନିଃସ୍ବାର୍ଥପର , କିନ୍ତୁ ଅନେକ ଦିନ ପରେ ଜିଣିଲି ସେ ମୋତେ ଠକୁଥିଲା ।  ତା ଲକ୍ଷ୍ୟ ଥିଲା ମୋ ପଇସା ଉପରେ  । ତା ପ୍ରେମ ଥିଲା  ଗୋଟେ ଛଳନା । ଶୋଷଣ କରିବାର ଗୋଟେ ଜରିଆ । ମୁଁ ଅନୁଭବ କଲି ଆଖି ବୁଜି ଭଲ ପାଇବା ବଡ଼ ମୂର୍ଖାମୀ । ବାସ୍ ତାପରେ ଆଉ ଭଲ ପାଇନି … ହେଲେ ଏବେ ମୋ ସ୍ବାମୀ ଓ ପରିବାର ସହ ବେଶ୍ ଖୁସିରେ ଅଛି’…

Advertisment

ଏଥିଲା ସମୀକ୍ଷାଙ୍କ ମନର କଥା । ପ୍ରଶାନ୍ତରୁ ସମୀକ୍ଷା ପାଲଟିବା ଭିତରେ ଯେତିକି ସମୟ ସେ ସମୟର ସଂଘର୍ଷ ଭାରି ଯନ୍ତ୍ରଣାସିକ୍ତ । ଈଶ୍ବରଙ୍କ ଏକ ଅନନ୍ୟ ସୃଷ୍ଟି ହୋଇ ବି ତାଙ୍କୁ କେହି ବୁଝିପାରିଲେନି କି ସହଜେ ଗ୍ରହଣ କରିପାରିଲେନି । ଅନେକ ଟାହିଟାପରା , କଟକଣା ଭିତରେ ସେ ଯେମିତି ଅଶନିଃଶ୍ବାସୀ ହୋଇପଡ଼ୁଥାନ୍ତି । ଶେଷରେ ପରିବାରର ଖୁସି ଓ ସମ୍ମାନ ପାଇଁ ଘର ଛାଡ଼ିବାକୁ ନିଷ୍ପତ୍ତି ନେଲେ । ଅନୁଭବ କଲେ ପାଠ ପଢ଼ିଲେ ସେ ନିଜକୁ ସମର୍ଥ କରିପାରିବେ ।ଏଥିପାଇଁ ୨୦୧୦ରେ ଘର ଛାଡ଼ିଦେଲେ  ।

ଏହାପରେ ସେ ଆରମ୍ଭ କଲେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ଅଭିଯାନ ।   ପ୍ରଥମେ ଏକ ଘରୋଇ ସଂସ୍ଥାରେ କାମ କରି କିଛି ଅର୍ଥ ସଞ୍ଚୟ କରିବା ପରେ ବାହାରକୁ ପାଠ ପଢ଼ିବାକୁ ଯିବାକୁ ବାହାରିଲେ । ପଢ଼ିଲେ ବି । ଏବେ ସେ ଉଚ୍ଚ ଶିକ୍ଷିତା ଓ ଆତ୍ମ ନିର୍ଭରଶୀଳ । ଜଣଙ୍କ ସ୍ତ୍ରୀ ଓ ଗୋଟେ ପରିବାରର ବୋହୂ ।  ସମସ୍ତଙ୍କ ଗହଣରେ ସେ ଆଜି ବେଶ୍ ଖୁସିରେ ଦିନ କାଟୁଛନ୍ତି ନିଜର ପରିଚୟ ସୃଷ୍ଟି କରିବା ସହ ନିଜ ପାଇଁ ବଞ୍ଚିବାକୁ  ଢେର ସୁଯୋଗ ପାଉଛନ୍ତି ।

କିନ୍ତୁ ପୂର୍ବର ସେଇ କିଛି ସ୍ମୃତି ଆଜି ବି ତାଙ୍କ ଆଖି ଭିଜାଇଦିଏ । ପିଲା ଦିନେ ଅନ୍ୟମାନଙ୍କ ଥଟ୍ଟା ଟାପରା, ନିର୍ଯାତନା; ଯୌବନରେ ପ୍ରେମରେ ପ୍ରତାରଣା ଏସବୁ ତାଙ୍କୁ ବାସ୍ତବରେ ବଞ୍ଚିବା ଶିଖେଇଦେଇଛି । ଆଜିକା ଦିନରେ ସେ ଅନ୍ୟମାନଙ୍କ ସହ ନିଜ ଅନୁଭୂତି ବାଣ୍ଟି ନିଜ କମ୍ୟୁନିଟିର ଅନ୍ୟ ଟ୍ରାନ୍ସଜେଣ୍ଡରଙ୍କୁ  ବଞ୍ଚିବାର ରାହା ଦେଖାଇପାରୁଛନ୍ତି ।