କନକ ବ୍ୟୁରୋ: ରାଉରକେଲାରେ ତିନିଟି ବସ୍ତିର ୫ଶହ ପରିବାରଙ୍କୁ ସୁଲଭ ମୂଲ୍ୟରେ ମିଳିବ ନୂଆ ଘର। ଏମାନଙ୍କ ଥଇଥାନ ପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ କାମ ସରିଯାଇଛି l ନୂଆ ବର୍ଷରେ ହିତାଧିକାରୀ ନୂଆ ଘର ପାଇବେ। ପ୍ରଥମ ପର୍ଯ୍ୟାୟରେ ମନଟୋଲା, ବିପିୟୁଟି ଓ ବିଦ୍ୟୁତ ବସ୍ତି ବାସିନ୍ଦା ପାଇବେ । ହେଲେ ଏହି ବସ୍ତିର ଅନେକ ପରିବାରକୁ ଏଯାଏଁ ଘର ମିଳିନି। ସେପଟେ ନୂଆ ଘର ପାଇ ଲୋକ ଖୁସି ତ ଅଛନ୍ତି । ହେଲେ ଏତେ ବଡ଼ ପରିବାର ସହ, ଛୋଟ ଘରେ କେମିତି ରହିବୁ ବୋଲି ହିତାଧିକାରୀ ପ୍ରଶ୍ନ ଉଠାଇଛନ୍ତି ।
ସେପଟେ ବସ୍ତିବାସିନ୍ଦାଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ରାଉରକେଲା ଏଡିଏମ । ଫେବୃଆରୀ ଶେଷ ସୁଦ୍ଧା ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ । ଏହି ସ୍ଥାନରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କରିବାକୁ ଟାର୍ଗେଟ ରଖାଯାଇଛି l ଗୋଟିଏ ପଟେ ପ୍ରଶାସନର ତତ୍ପରତା, ଅନ୍ୟପଟେ ବସ୍ତିବାସିନ୍ଦାଙ୍କ ଦ୍ୱନ୍ଦ୍ୱ । ଏହାରି ଭିତରେ ସମଧାନର ରାସ୍ତା କଣ ବାହାରୁଛି ତାହା ଦେଖିବାକୁ ବାକି ରହିଲା ।