କନକ ବ୍ୟୁରୋ: ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି । ଗଞ୍ଜାମ ଓ ଏହାର ଆଖପାଖ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକମାତ୍ର ଭରସା ଯୋଗ୍ୟ ଶିକ୍ଷାନୁଷ୍ଠାନ । କିନ୍ତୁ ବିଡ଼ମ୍ୱନାର ବିଷୟ, ପାଠ ପଢ଼ାଇବାକୁ ନାହାନ୍ତି ଅଧ୍ୟାପକ । ୨୦୨୧, ଅଗଷ୍ଟ ୧ ତାରିଖରେ ଏହା ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଥିଲା । ହେଲେ ଏବେ ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ଅଭାଵ ଯୋଗୁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆବଶ୍ୟକତା ଅନୁଯାୟୀ ଅଧ୍ୟାପକ ନଥିବାରୁ ଗେଷ୍ଟ୍ ଫ୍ୟାକଲ୍ଟିରେ ପାଠପଢ଼ା ଚାଲିଛି ।
ବିଶ୍ୱ ବିଦ୍ୟାଳୟରେ ମୋଟ ୧୮ଟି ବିଭାଗ ପାଇଁ, ୧୨୬ ଅଧ୍ୟାପକ ଆବଶ୍ୟକ କିନ୍ତୁ ବିଶ୍ୱ ବିଦ୍ୟାଳୟରେ ମାତ୍ର ୨୪ ଜଣ ରେଗୁଲାର ଅଧ୍ୟାପକ ଅଛନ୍ତି । ୫୬ଜଣ ଗେଷ୍ଟ୍ ଫ୍ୟାକଲ୍ଟି ଆସି ପାଠ ପଢ଼ାଉଛନ୍ତି । ସ୍ଥାୟୀ ଅଧ୍ୟାପକ ନାହାନ୍ତି । ସେହିଭଳି କିଛି ବିଭାଗରେ ଆଦୌ ଅଧ୍ୟାପକ ନାହାନ୍ତି । ତେଣୁ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ । ତୁରନ୍ତ ରାଜ୍ୟ ସରକାର ଖାଲି ପଡିଥିବା ପଦବୀ ପୂରଣ ପାଇଁ ଦାବି ହୋଇଛି ।