କନକ ବ୍ୟୁରୋ : ୮ ବର୍ଷର ପୁଅ ଓ ୧୨ ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବାପା । ପୁଅ ମୃତ, ବାପା ଓ ଝିଅ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର । ପାରିବାରିକ କଳାରୁ ପିଶାଚ ପାଲଟିଲା ବାପା। ଦୁଇ ସନ୍ତାନକୁ ବିଷ ଦେଇ ନିଜେ ବିଷ ପିଇଥିଲେ । ଏଭଳି ଏକ ଘଟଣା ଘଟିଛି ପାରଳାଖେମୁଣ୍ଡି ଓଡ଼ିଆ ପାରଳା ସାହିରେ ।
ପାରିବାରିକ କଳହରୁ ଗୋଟିଏ ପରିବାର ପୂରା ଶୂନ୍ୟ ହୋଇଯାଇଥିବା ସନ୍ଦେହ କରାଯାଉଛି । ମାର୍ଚ୍ଚ ୨୧ ତାରିଖରେ ମା’ଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଆଉ ଏବେ ଦୁଇ ପିଲାଙ୍କୁ ବିଷ ଦେଇ ବାପା ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ପାରଳାଖେମୁଣ୍ଡିରୁ ଆସିଥିବା ଏ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପାରଳାଖେମୁଣ୍ଡି ସହର ଓଡ଼ିଆ ପାରଳାସାହିର ସୁବାଶିଷ ପାଣିଗ୍ରାହୀ । ବୁଧବାର ଅପରାହ୍ଣରେ ୧୨ ବର୍ଷୀୟ ଝିଅ ପ୍ରିୟଦର୍ଶିନୀ ଓ ୮ ବର୍ଷୀୟ ପୁଅ ବିଜୟାନନ୍ଦକୁ ଖାଦ୍ୟରେ ବିଷ ଦେବା ସହ ନିଜେ ବିଷ ପାନ କରିଥିଲେ । ପରିବାର ଲୋକେ ତୁରନ୍ତ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିବା ସହ ବାପା-ଝିଅଙ୍କୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରିଥିଲେ । ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ବାପା-ଝିଅଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୨ମାସ ତଳେ ସୁବାଶିଷଙ୍କ ସ୍ତ୍ରୀ ମୃତ୍ୟୁବରଣ କରିଥିଲେ । ସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ମାନସିକ ସ୍ଥିତି ଠିକ୍ ନଥିଲା । ସବୁବେଳେ ମାନସିକ ବିଶାଦ ଭିତରେ ଥାଇ ସେ ଏଭଳି କାଣ୍ଡ ଭିଆଇଥିବା ମୃତ ସୁବାଶିଷଙ୍କ ବାପା କହିଛନ୍ତି ।
ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ଘଟିଛି କିନ୍ତୁ ଆତ୍ମୀୟଙ୍କ ଦେଖା ମିଳୁନି । ଘର ଖାଲି ପଡ଼ିଛି,ରନ୍ଧା ହୋଇଥିବା ଖାଦ୍ୟ ସେମିତି ହାଣ୍ଡିରେ ଭର୍ତ୍ତି ହୋଇ ରହିଛି । ମୃତ ସୁବାଶିଷଙ୍କ ବାପା ବ୍ରହ୍ମପୁର ହସ୍ପିଟାଲରେ ମୃତକଙ୍କ ସହ ଥିବା ବେଳେ ପୁଲିସ ତଦନ୍ତରେ କେହି ସହଯୋଗ କରୁନଥିବା କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ।