କନକ ବ୍ୟୁରୋ : ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ନାରା ଦେଉଛନ୍ତି ସରକାର । ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ମଧ୍ୟ ପାଳନ ହେଉଛି । ହେଲେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି ରାଜଧାନୀରେ । ୧୨୦ ପିଲାଙ୍କ ପାଠପଢ଼ାରେ ଲାଗିଛି ଡୋରି । ଭୁବନେଶ୍ୱର ରେଲୱେ କଲୋନୀ ସ୍କୁଲରେ ପିଲାଙ୍କ କ୍ଲାସ ବନ୍ଦ କରିବା ପରେ ଏବେ ବାରଣ୍ଡାରେ ବସି ପଢିବାକୁ ଜିଦ ଧରିଛନ୍ତି ଛାତ୍ରଛାତ୍ରୀ ।
ମଞ୍ଚେଶ୍ୱର ସ୍ଥିତ ରେଲୱେ କଲୋନୀ ସରକାରୀ ବିଦ୍ୟାଳୟରେ ବାରଣ୍ଡାରେ ବସି ପିଲା ପାଠ ପଢ଼ୁଛନ୍ତି । ସ୍କୁଲରେ ଜାଗା ଅଛି କିନ୍ତୁ ଶିକ୍ଷକ ଅଭାବ ଯୋଗୁ ଷଷ୍ଠ ଓ ସପ୍ତମ ଶ୍ରେଣୀକୁ ବନ୍ଦ କରିଦିଆଯାଇଛି । ଫଳରେ ପିଲାମାନେ ସ୍କୁଲ ବାରଣ୍ଡାରେ ବସି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ବିଦ୍ୟାଳୟରେ ପ୍ରାଥମିକ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପାଇଁ ଶିକ୍ଷା ଦାନ ହେଉଥିଲା । ପ୍ରଥମରୁ ନାମ ଲେଖାଇଲେ ପିଲାମାନେ ଏକାଥରେ ଦଶମ ଯାଏଁ ପଢ଼ୁଥିଲେ । କିନ୍ତୁ ଚଳିତ ବର୍ଷ ଶିକ୍ଷକ ଅଭାବରୁ କେବଳ ଷଷ୍ଠ ଓ ସପ୍ତମ ଶ୍ରେଣୀକୁ ଡି-ରିକଗନାଇଜ୍ଡ କରାଯାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଚିନ୍ତା ବଢ଼ିଯାଇଛି ।
କିଏ ମୂଲ ଲାଗିଲେ ଘର ଚଳୁଛି ତ ଆଉ କାହାର ଦୁଇମୁଠା ଖାଇବାକୁ ଦେବାକୁ ବି ସାମର୍ଥ୍ୟ ନାହିଁ । ସେଥିପାଇଁ ଏହି ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି ବାପା ମା । ଏବେ ବିଦ୍ୟାଳୟରେ କେବଳ ଷଷ୍ଠ ଓ ସପ୍ତମ ଶ୍ରେଣୀ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ । ସେପଟେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା କଥା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଆଶା ଅଛି ସମାଧାନ ହେବ । ଗୋଟିଏ ପଟେ ସରକାର ଡ୍ରପ ଆଉଟ ରୋକିବାକୁ ଚେଷ୍ଟା କରୁଥିବା ବେଳେ ଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତି ୧୨୦ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି ।