hospital Photograph: (kanak news)
କନକ ବ୍ୟୁରୋ: ଗାଁ ନିକଟରେ ସ୍ବାସ୍ଥ୍ୟସେବାର ସୁବିଧା ମିଳିବ ଆଉ ମାଇଲ୍ ମାଇଲ୍ ବାଟ ଯିବାକୁ ପଡ଼ିବନି । ଏହି ସବୁ ଉଦ୍ଦେଶ୍ୟ ରଖି ଗାଁ ଲୋକ ନିଜ ପ୍ରଚେଷ୍ଟାରେ ନିର୍ମାଣ କରିଥିଲେ ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର । ନିଜସ୍ବ ଖର୍ଚ୍ଚରେ ୨ବର୍ଷ ବି ଚଳାଇଲେ । ହେଲେ ଏହାପରେ ସରକାରୀ ଅନୁଦାନ ନଆସିବାରୁ ୩୩ ବର୍ଷ ହେଲାଣି ବନ୍ଦ ପଡ଼ିଛି ଡାକ୍ତରଖାନା ।
ଚଟାଣ ଭାଙ୍ଗିଗଲାଣି,କାନ୍ଥରେ ଶିଉଳି ଚଢ଼ି ସ୍ବାସ୍ଥ୍ୟକେନ୍ଦ୍ରର ନାଁ ବି ଠିକ୍ ଭାବେ ଦିଶୁନି । ବଣ ବୁଦାରେ ଭର୍ତ୍ତି ହୋଇ ଭୂତ କୋଠୀ ପାଲଟିଯାଇଛି । ଅବସ୍ଥା ଦେଖି ଲାଗୁଛି, ଡାକ୍ତରଖାନାକୁ ଚିକିତ୍ସାର ଆବଶ୍ୟକ ରହିଛି । ୧୯୯୦ରେ ଢେଙ୍କାନାଳ ଗନ୍ଦିଆ ବ୍ଲକ ଆମ୍ବବାହାଳି ଗାଁରେ ୩ଟି ପଞ୍ଚାୟତ ଲୋକଙ୍କ ପ୍ରଚେଷ୍ଟାରେ ଖୋଲିଥିଲା ଏହି ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର । ଗାଁ ଲୋକ ନିଜେ ଚାନ୍ଦା ଆଦାୟ କରି ଔଷଧ ଉପକରଣ କିଣିବା ସହ ଡାକ୍ତରଙ୍କୁ ଦରମା ଦେଇ ୨ ବର୍ଷ ମେଡିକାଲଟିକୁ ଚଳାଇଲେ । ହେଲେ ପରେ ସରକାରୀ ଅନୁଦାନ ନମିଳିବାରୁ ଡାକ୍ତରଖାନାଟି ୧୯୯୨ରୁ ବନ୍ଦ ପଡ଼ିଥିବା କହିଛନ୍ତି ଅଞ୍ଚଳବାସୀ ।
ଅଧିକ ପଢନ୍ତୁ :ବିଲମୁଣ୍ଡରେ ଜଗିଛି ବଉଳା କୁମ୍ଭୀର; ୪ ଦିନ ହେଲା କୁମ୍ଭୀର ଭୟରେ ବିଲକୁ ଯାଉନାହାନ୍ତି ଚାଷୀ
ଏହି ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ଦ୍ବାରା ୩ଟି ପଞ୍ଚାୟତର ଲୋକ ଉପକୃତ ହେଉଥିଲେ । ହେଲେ ୩୩ ବର୍ଷ ଧରି ଏହା ବନ୍ଦ ପଡ଼ିଥିବାରୁ ସାମାନ୍ୟ ରୋଗ ପାଇଁ ୧୩ କିମି ବେଲ୍ଟିକିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନଚେତ୍ ୨୫ କିମି ଦୂର ମୁଖ୍ୟ ଡାକ୍ତରଖାନାକୁ ଯିବାକୁ ପଡ଼ୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ବନ୍ଦ ପଡ଼ିଥିବା ଏହି ଡାକ୍ତରଖାନାକୁ ଚାଲୁ କରିବା ଦିଗରେ ସରକାର ଗୁରୁତ୍ବ ଦେବାକୁ ଦାବି ହୋଇଛି ।
Follow Us