କନକ ବ୍ୟୁରୋ: ୧୦୮ ଆମ୍ବୁଲାନ୍ସକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ଚିତ୍ର । ୨୨୭ଟି ଆମ୍ବୁଲାନ୍‌ସ ହଠାତ୍ ଅଚଳ ହୋଇଯିବାରୁ ରୋଗୀ ସେବାରୁ ବାଦ୍ ପଡ଼ିଛି । ଅଚଳ ହୋଇଥିବା ଏସବୁ ଆମ୍ବୁଲାନ୍ସ ଆସନ୍ତା କିଛିଦିନ ଭିତରେ ପୁଣି ଥରେ ରୋଗୀ ସେବାରେ ସାମିଲ ହେବା ଆଶଙ୍କା କମ୍ । ଏଥିପାଇଁ ବିଭିନ୍ନ ଜିଲ୍ଲାରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିବାକୁ ଯଥେଷ୍ଟ ବିଳମ୍ବ ହେଉଛି । ଆଗକୁ ଏହି ସ୍ଥିତି ଲାଗି ରହିଲେ ରାଜ୍ୟରେ ରୋଗୀ ସେବା ଏକପ୍ରକାର ଠପ୍ ହୋଇଯିବ । ରାଜ୍ୟରେ ଏବେ ୮୬୦ଟି ୧୦୮ ଆମ୍ବୁଲାନ୍‌ସ ସେବା ପ୍ରଦାନ କରୁଛି। ଏହା ମଧ୍ୟରୁ ୪୨୦ଟି ଆମ୍ବୁଲାନ୍‌ସର ଅବଧି ଗତବର୍ଷ ଡିସେମ୍ବର ମାସରୁ ଶେଷ ହୋଇଯାଇଛି । 

Advertisment

ଏହା ବଦଳରେ ନୂଆ ଆମ୍ବୁଲାନ୍ସ କିଣାଯିବା କଥା । ହେଲେ ସରକାରୀସ୍ତରରେ ବର୍ତ୍ତମାନ ସୁଦ୍ଧା ନୂଆ ଆମ୍ବୁଲାନ୍ସ କିଣିବା ନିଷ୍ପତ୍ତି ହୋଇପାରୁନାହିଁ । ମାସ ମାସ ଧରି ତର୍ଜମା ପ୍ରକ୍ରିୟା ଜାରି ରହିଥିବାରୁ ଆମ୍ବୁଲାନ୍ସ କିଣା ବିଳମ୍ବ ହେଉଛି । ଅନ୍ୟପଟେ ଗୋଟିଏ ଗୋଟିଏ ଆମ୍ବୁଲାନ୍ସ ୫ଲକ୍ଷରୁ ଅଧିକ କିମି ଚାଲିବା ଓ ୫ବର୍ଷ ଅବଧି ପୂରଣ ହୋଇଥିବାରୁ ଏସବୁ ଆମ୍ବୁଲାନ୍ସ ଆଉ ରୋଗୀ ସେବା ପ୍ରଦାନ ଅବସ୍ଥାରେ ନାହାନ୍ତି। କେଉଁଥିରୁ ପାଣି ଗଳୁଛି ତ ଆଉ କେଉଁଟି ଅଧା ବାଟରେ ବନ୍ଦ ହୋଇଯାଉଛି । ଯେତେ ମରାମତି କଲେ ବି ଗାଡ଼ି ଅବସ୍ଥାରେ ବିଶେଷ ପରିବର୍ତ୍ତନ ହେଉନାହିଁ । ଧୀରେ ଧୀରେ ଗୋଟିଏ ଗୋଟିଏ ଆମ୍ବୁଲାନ୍ସ ରୋଗୀ ସେବାରୁ ବାଦ୍ ପଡ଼ୁଛନ୍ତି । ଆଜି ସୁଦ୍ଧା ସମୁଦାୟ ଗାଡ଼ିରୁ ୨୬ ପ୍ରତିଶତ ୧୦୮ ଆମ୍ବୁଲାନ୍ସ ଅଫ୍‌ ରୋଡ୍‌ ହୋଇଯାଇଥିବା ସୂଚନା ମିଳିଛି ।