କନକ ବ୍ୟୁରୋ : ରାତି ପାହିଲେ ଯିବା ଆସିବା ପାଇଁ ସମସ୍ୟା । ଚିତ୍ରକୋଣ୍ଡା ସ୍ପିଲ୍ୱେ ଠାରୁ ପପୁଲୁର ପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିବା ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାର ଦୂରାବସ୍ଥା । ୨୫ କିଲୋମିଟରର ରାସ୍ତା ପୂରା ଖାଲଖମାରେ ଭର୍ତ୍ତି । କେଉଁଠି ମେଟାଲ ବାହାରି ପଡ଼ିଛି ତ ଆଉ କେଉଁଠି ଖାଲରେ ପାଣି ଭର୍ତ୍ତି । ପ୍ରତିଦିନ ଜୀବନକୁ ବାଜିରେ ଲଗାଇ ରାସ୍ତାରେ ଯାତୟାତ କରୁଛନ୍ତି ୬ଟି ପଞ୍ଚାୟତର ଲୋକ । ଦୁର୍ଘଟଣାରେ କିଛି ଲୋକଙ୍କ ଜୀବନ ମଧ୍ୟ ଯାଇଥିବା ଅଭିଯୋଗ ହୋଇଛି । ହେଲେ ଗାଁ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ବି ରାସ୍ତା କାମ ସରୁନି ।
ସେହିପରି ମାଳିଗୁଡ଼ା ଗାଁରେ ବର୍ଷ ବର୍ଷ ଧରି ବ୍ରିଜ୍ ନିର୍ମାଣ ଚାଲିଛି । ଅବଧି ସରିଲାଣି, କିନ୍ତୁ କାମ ସରୁନି । ମାଳିଗୁଡ଼ା ବ୍ରିଜ୍ ଠାରୁ ସ୍ପିଲ୍ୱେ ଡ୍ୟାମ୍ ପର୍ଯ୍ୟନ୍ତ ୨ କିମି ରାସ୍ତା ବି ନିର୍ମାଣ କରୁନି ଠିକା ସଂସ୍ଥା ! ରାସ୍ତାରେ ପଥର ଡଷ୍ଟ ପକାଇ ଚୁପ୍ ବସିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ରାସ୍ତା ଖରାପ ଥିବା ଯୋଗୁଁ ଜରୁରୀକାଳୀନ ସେବାରୁ ଲୋକ ବଞ୍ଚିତ ହେଉଛନ୍ତି । ଖୁବଶୀଘ୍ର ରାସ୍ତା କାମ ସରିବା ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଗୁରୁତ୍ବ ଦେବାକୁ ଦାବି ହୋଇଛି ।
ସେପଟେ ଗମନାଗମନ ସମସ୍ୟା ଦୂର ହେବ । ଗାଁରେ ତିଆରି ହେବ ପୋଲ । ଲୋକଙ୍କ ସମସ୍ୟାକୁ ନଜରରେ ରଖି କେନ୍ଦ୍ରାପଡ଼ାରେ ଦୁଇ ଦୁଇଟି ପୋଲ ନିର୍ମାଣ ପାଇଁ ନିଷ୍ପତ୍ତି ହେଲା । ଲୁଣା ଓ କରଣ୍ଡିଆ ନଦୀର ବଳରାମପୁର ଠାରେ ୨ଟି ପୋଲ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବି ହେଲା । ୫୯ କୋଟିର ଏହି ପ୍ରକଳ୍ପ ପାଇଁ ୨୦୧୮ ଜୁନ୍ ୧ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଶିଳାନ୍ୟାସ କରାଯାଇ କାମ ଆରମ୍ଭ ହୋଇଥିଲା । ପ୍ରକଳ୍ପ ସରିବାର ଅବଧି ଥିଲା ୨୦୨୨ । ହେଲେ ଅବଧି ସରିଗଲା କିନ୍ତୁ ଏପର୍ଯ୍ୟନ୍ତ ପୋଲ କାମ ସରିପାରିନାହିଁ, ଯାହାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି ।
ଏହି ପୋଲ ନିର୍ମାଣ ହୋଇଥିଲେ ପାଟକୁରାରୁ କେନ୍ଦ୍ରାପଡ଼ାକୁ ଦୂରତା କମିଥା’ନ୍ତା । ବନ୍ୟା ପ୍ରଭାବିତ ଲୋକଙ୍କ ଦୁଃଖ ଦୂର ହୋଇଥା’ନ୍ତା । ହେଲେ ଏସବୁ ଏକ ପ୍ରକାର ସ୍ବପ୍ନ ପାଲଟିଛି । ବିଭାଗୀୟ ତଥ୍ୟ ଅନୁଯାୟୀ, ଏହି ନଦୀରେ ନୌପରିବହନ ବ୍ୟବସ୍ଥା ହେବ । ଏଣୁ ପୋଲର ଡିଜାଇନ୍ରେ ପରିବର୍ତ୍ତନ ହେବ । ଅନ୍ୟପଟେ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗ, ପ୍ରଶାସନକୁ ଜଣାଇଲେ ମଧ୍ୟ ଜମି ଅଧିଗ୍ରହଣ କରି ଦିଆଯାଇପାରିନି । ସେଥିପାଇଁ ଠିକାଦାର କାମ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି । କିଛି ଦିନ ତଳେ ବିଭାଗୀୟ ମନ୍ତ୍ରୀ କାର୍ଯ୍ୟ ତ୍ବରାନ୍ବିତ କରିବାକୁ କ୍ଷେତ୍ର ପରିଦର୍ଶନ କରିଥିଲେ । କାମ ସରିବା ନେଇ ଆଶା ସଞ୍ଚାର ହୋଇଥିଲା । ହେଲେ ମନ୍ତ୍ରୀଙ୍କ ପରିଦର୍ଶନ ପରେ ଠିକାସଂସ୍ଥା ବି କାମ ଛାଡ଼ି ପଳାଇଥିବା ଅଭିଯୋଗ ଆସିଛି ।