କନକ ବ୍ୟୁରୋ: ଯାଜପୁରରେ ସାଂସଦ ଓ ବିଧାୟିକାଙ୍କ ମଧ୍ୟରେ କଥା କଟାକଟି। ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଦୁଇ ନେତାଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା। ବିକାଶ କଥା କହି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଗୁଣଗାନ କଲେ ବିଧାୟିକା ସୁଜାତା ସାହୁ। ଆଉ ଏହାର ଜବାବ ଦେଇଛନ୍ତି ସାଂସଦ ।
ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଯାଜପୁର ବିଧାୟିକା ସୁଜାତା ସାହୁ ସ୍ୱାୟତ୍ତ ଶାସନ ଦିବସରେ ଯାଜପୁର ପୌରପାଳିକାର ବିକାଶ ସମ୍ପର୍କରେ କହିଥିଲେ। ଏହି ଅବସରରେ ସେ ପୂର୍ବ ସରକାର ଗୁଣଗାନ କରିଥିଲେ। ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଅବଦାନ ମଧ୍ୟ କହିଥିଲେ। ଏହି ସମୟରେ ସେ କହିଥିଲେ ଏବେର ଶାସକ ଦଳ ତଥା ସରକାର କଳା ଚଷମା ପିନ୍ଧିଥିବାରୁ ବିକାଶକୁ ଦେଖି ପାରୁନି। ଯାଜପୁର ସହର ନୂଆ ରୂପରେ ଉଭା ହୋଇ ପାରିଛି। ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା ବିଧାୟିକା ଶ୍ରୀମତୀ ସାହୁଙ୍କ କଥାର ଜବାବ ଦେଇଥିଲେ।
କହିଥିଲେ, ରାଜ୍ୟ ସରକାର ସମଗ୍ର ଓଡ଼ିଶାର ବିକାଶ ଚାହୁଁଛନ୍ତି। ଯାଜପୁର ପୌରପାଳିକାର ଆଗକୁ ମଧ୍ୟ ଅନେକ ବିକାଶମୂଳକ କାର୍ୟ୍ୟ ହେବ। ହେଲେ ଯାଜପୁରରେ ବିଗତ ସରକାରରେ ଯେତିକି ବିକାଶମୂଳକ କାର୍ୟ୍ୟ ହୋଇଛି ତାହା ଠାରୁ ସର୍ବାଧିକ ଦୁର୍ନୀତି ହୋଇଛି। ଦୁର୍ନୀତିରେ ସାରା ଓଡ଼ିଶାରେ ଯାଜପୁର ସର୍ବାଗ୍ରେ ରହିବ ବୋଲି କହିଥିଲେ। ଆଗାମୀ ଦିନରେ କଳା ଚଷମାର ଆବଶ୍ୟକ ନାହିଁ, ସମସ୍ତେ ଧଳା ଚଷମା ପିନ୍ଧି ସବୁ ଦେଖି ପାରିବେ ବୋଲି ସାଂସଦ କହିଥିଲେ। ସାଂସଦ ଓ ବିଧାୟିକାଙ୍କର ଏଭଳି କଥା କଟାକଟିକୁ ନେଇ ଉପସ୍ଥିତ ଥିାବା ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।