କନକ ବ୍ୟୁରୋ: ଭରତପୁର ଥାନାରେ ମେଜର ଗୁରବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା ଧିରେଧିରେ ଜଟିଳ ହେବାରେ ଲାଗିଛି। ପୁରା ଘଟଣାରେ ରିପୋର୍ଟ ତଲବ କରିଛନ୍ତି ନ୍ୟାସନାଲ କମିଶନ ଫର ଓମେନ୍‌- ଏନସିଡବ୍ଲୁ। ଆଜି ସୁଦ୍ଧା ରିପୋର୍ଟ ଦେବା ପାଇଁ କ୍ରାଇମବ୍ରାଞ୍ଚକୁ କୁହାଯାଇଛି। ସେଥିପାଇଁ ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ବୟାନ ମଧ୍ୟ ରେକର୍ଡ କରିପାରେ ସିଆଇଡି।

  • ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ରିପୋର୍ଟ ତଲବ
  • କ୍ରାଇମବ୍ରାଞ୍ଚକୁ ରିପୋର୍ଟ ମାଗିଲେ ଏନସିଡବ୍ଲୁ 

ସେପଟେ ଭରତପୁର ଥାନାରେ ଥାର୍ଡ ଡିଗ୍ରୀ ପରେ ଏମ୍ସ ହସ୍ପିଟାଲରୁ ଆସିଛି ଅଙ୍କିତାଙ୍କ ପ୍ରଥମ ଚିତ୍ର। ଏକ ହ୍ବିଲ ଚେୟାରରେ ବସାଇ କିଛି ମହିଳା ପୋଲିସ କର୍ମଚାରୀ ତାଙ୍କୁ ହସ୍ପିଟାଲ ବାରଣ୍ଡାରେ ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏଥିରୁ ଜଣାପଡୁଛି ଯେ, ଅଙ୍କିତାଙ୍କ ଦେହରେ ଏକାଧିକ ଆଘାତ ଲାଗିଛି। ପୋଲିସ ମାଡ଼ରେ ହାତରେ ଆଘାତ ଲାଗିଥିବା ଜଣାପଡୁଛି। ତେବେ ଜଣେ ସେନା ଅଧିକାରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଯୁବତୀଙ୍କୁ ବର୍ବରୋଚ୍ଚିତ ଆକ୍ରମଣର ଫଟୋ ମଧ୍ୟ ସେୟାର କରିଥିଲେ। ପୋଲିସ ମାଡ଼ରେ ତାଙ୍କ ଓଠ ଫାଟି ଦାନ୍ତ ଭାଙ୍ଗିଯିବା ସହ, ପାଟିର ଜଅ ଡିସଲୋକେଟ୍‌ ହୋଇଯାଇଥିବା ନେଇ ମେଡିକାଲ ରିପୋର୍ଟରେ ମଧ୍ୟ ଉଲ୍ଲେଖ ରହିଥିଲା। 

ଅନ୍ୟପଟେ ପୁରା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଭରତପୁର ଥାନା ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ଏତଲାକାରୀଙ୍କଠାରୁ ଟଙ୍କା ମାଗୁଥିଲେ ପୂର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର। ଗାଡ଼ି ଚୋରି ଅଭିଯୋଗ ନେଇ ଥାନାକୁ ଯିବା ପରେ ପାଟ୍ରୋଲିଂ ପାଇଁ ତେଲ ନଥିବା କହି ୧ ହଜାର ଟଙ୍କା ଦାବି କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ଜଣେ ଯୁବକ।

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ଭୁବନେଶ୍ବରର ପଥରଗାଡ଼ିଆ ଓ ଭରତପୁର ରାସ୍ତାରେ ଦୁଇ ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ। ତେଣୁ ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋଡ ରୋମିଓଙ୍କୁ ବାନ୍ଧିବ ପୋଲିସ। ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି।