କନକ ବ୍ୟୁରୋ : ଦେଶରେ ରହି ଦେଶରେ ଖାଇ ଦେଶର ଗୋପନୀୟ ତଥ୍ୟ ଯୋଗାଉଛନ୍ତି ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ । ଭାରତ ଝିଅର ପାକିସ୍ତାନ ପ୍ରେମ । ନାମ ଜ୍ୟୋତି ମାଲହୋତ୍ରା। ଘର ହରିୟାଣା । ଜଣେ ଲୋକପ୍ରିୟ ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ପାଇଁ ଗୁପ୍ତଚରବୃତ୍ତି ଅଭିଯୋଗରେ ଗିରଫ କରାଯାଇଛି । ହିସାର ପୁଲିସ ଜ୍ୟୋତିଙ୍କୁ ନୂଆ ଅଗ୍ରୱାଲ ଏକ୍ସଟେନସନ ଅଞ୍ଚଳରୁ ଅଟକ ରଖିଛି । ଜ୍ୟୋତିଙ୍କ ସମେତ ହରିୟାଣା ଓ ପଞ୍ଜାବରୁ ମୋଟ ୬ ଜଣଙ୍କୁ ଏକ ବୃହତ ଗୁପ୍ତଚର ନେଟୱାର୍କର ଅଂଶ ଭାବେ ଗିରଫ କରାଯାଇଛି । ଜ୍ୟୋତି ‘ଟ୍ରାଭେଲ ଉଇଥ ଜୋ’ ନାମକ ୟୁଟ୍ୟୁବ ଚ୍ୟାନେଲ ପରିଚାଳନା କରୁଥିଲେ। ଅଭିଯୋଗ ଅନୁଯାୟୀ, ଜ୍ୟୋତି  ୨୦୨୩ରେ ଦୁଇଥର ପାକିସ୍ତାନ ଗସ୍ତ କରିଥିଲେ ଓ ସେଠାରେ ପାକିସ୍ତାନ ହାଇକମିଶନର କର୍ମଚାରୀ ଏହସାନ-ଉର-ରହିମ ଓରଫ ଦାନିଶଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ିଥିଲେ । ଦାନିଶଙ୍କୁ  ଭାରତ ସରକାର ମେ ୧୩, ୨୦୨୫ରେ ‘ପର୍ସୋନା ନନ ଗ୍ରାଟା’ ଘୋଷଣା କରି ଦେଶରୁ ନିର୍ବାସିତ କରିଥିଲେ ଏବଂ ଦାନିଶ ଜ୍ୟୋତିଙ୍କୁ ପାକିସ୍ତାନୀ ଗୁପ୍ତଚର ଅଧିକାରୀମାନଙ୍କ ସହ ପରିଚୟ କରାଇଥିଲେ । ପୁଲିସ ସୂଚନା ଅନୁଯାୟୀ, ଜ୍ୟୋତି ହ୍ୱାଟସଆପ, ଟେଲିଗ୍ରାମ ଓ ସ୍ନାପଚାଟ ଜରିଆରେ ଶାକିର ଓରଫ ରାନା ଶାହବାଜ ପରି ଅଧିକାରୀଙ୍କ ସହ ଯୋଗାଯୋଗ ରଖୁଥିଲେ, ଯାହାଙ୍କ ନାମକୁ ସେ ‘ଜଟ୍ଟ ରନଧାୱା’ ଭାବେ ସେଭ୍ କରିଥିଲେ । ଦେଶଦ୍ରୋହୀ ଜ୍ୟୋତି ଭାରତୀୟ ସାମରିକ ଓ ରଣନୈତିକ ସ୍ଥାନଗୁଡ଼ିକର ସମ୍ବେଦନଶୀଳ ତଥ୍ୟ ପାକିସ୍ତାନ  ଅଧିକାରୀମାନଙ୍କୁ ପଠାଉଥିଲେ ଓ ସୋସିଆଲ ମିଡିଆରେ ପାକିସ୍ତାନର ସକାରାତ୍ମକ ପ୍ରତିଛବି ପ୍ରଚାର କରୁଥିଲେ । ଅନୁସନ୍ଧାନରେ ଜଣାପଡ଼ିଛି ଜ୍ୟୋତି ଜଣେ ପାକିସ୍ତାନୀ ଅଧିକାରୀଙ୍କ ସହ ସମ୍ପର୍କରେ ଥିଲେ ଓ ତାଙ୍କ ସହ ଇଣ୍ଡୋନେସିଆର ବାଲି ଗସ୍ତ କରିଥିଲେ । ଜ୍ୟୋତିଙ୍କ ବିରୋଧରେ ଅଫିସିଆଲ ସିକ୍ରେଟସ୍ ଆକ୍ଟ, ୧୯୨୩ର ଧାରା ୩ ଓ ୫ ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା ୧୫୨ ଅନୁଯାୟୀ ମାମଲା ରୁଜୁ ହୋଇଛି । ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ମାଲେରକୋଟଲାର ଗୁଜାଲା, ୟାମିନ ମୋହଦ, କୈଥାଲର ଦେବିନ୍ଦର ସିଂ ଢିଲ୍ଲୋନ ଓ ନୁହର ଅରମାନ ଅଛନ୍ତି, ଯେଉଁମାନେ ଆର୍ଥିକ ନେଣଦେଣ, ସିମ୍ କାର୍ଡ ଯୋଗାଣ ଓ ସାମରିକ ତଥ୍ୟ ସଂଗ୍ରହରେ ଜଡ଼ିତ ଥିଲେ । ୨୭ ସେପ୍ଟେମରରେ ପୁରୀ ଆସିଥିଲେ ଜ୍ୟୋତି ମାଲହୋତ୍ରା । ଜ୍ୟୋତି ଓ ଅନ୍ୟ କିଛି ଜଣ ଗୁପ୍ତଚର ବୃତ୍ତିରେ ଗିରଫ ହେବା ଘଟଣା ଜାତୀୟ ସୁରକ୍ଷା ପାଇଁ ଗୁରୁତର ଚ୍ୟାଲେଞ୍ଜ ସୃଷ୍ଟି କରିଛି।