25 koraput Photograph: (25 koraput )
କନକ ବ୍ୟୁରୋ : କୋରାପୁଟରେ ଟାଟା ପାୱାର ମନମାନୀ। ମନ ଇଚ୍ଛା କରୁଛି ପାୱାର କଟ୍। ସ୍ମାର୍ଟ ମିଟର ବସାଇ କରୁଛି ଶୋଷଣ। ବାରମ୍ବାର ଏଭଳି ଅଭିଯୋଗ ଆସୁଛି। ବିଦ୍ୟୁତ ବିତରଣକାରୀ ସଂସ୍ଥା ବିରୋଧରେ ଆସୁଥିବା ଅଭିଯୋଗକୁ ନେଇ ବୈଠକ ବସିଥିଲା। ବିଡମ୍ବନାର ବିଷୟ, କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚାଲିଥିବା ସମୟରେ ପାୱାର କଟ୍। ବିନା ବିଜୁଳିରେ ଅନ୍ଧାରିଆ କୋଠରିରେ କୋରାପୁଟ ସାଂସଦ, ବିଧାୟକ ଓ ଅନ୍ୟ ଅଧିକାରୀମାନେ ଆଲୋଚନା କଲେ। ଜିଲ୍ଲା ସ୍ତରୀୟ ବୈଠକରେ ବିଦ୍ୟୁତ କାଟକୁ ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ପ୍ରବଳ ବର୍ଷିଲେ ସାଂସଦ ଏବଂ ବିଧାୟକ ।
କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ତାଲିମ ବିକାଶ କେନ୍ଦ୍ର ଠାରେ ବିଜୁଳି ବିଭ୍ରାଟକୁ ନେଇ ବସିଥିବା ବୈଠକରେ ଜିଲ୍ଲାର ୧,୮୯୯ଟି ରାଜସ୍ବ ଗ୍ରାମ ଏବଂ ୨,୭୩୩ଟି ପଡ଼ାରେ ବିଦ୍ୟୁତ ବିତରଣ ସଂପର୍କିତ ତଥ୍ୟ ପ୍ରଦାନ କରିଥିଲେ ଉପଖଣ୍ଡର ବିଭାଗୀୟ ନିର୍ବାହୀ ଯନ୍ତ୍ରୀ। ଏବେ ବି ବିଦ୍ୟୁତ ସୁବିଧାରୁ ବଞ୍ଚିତ ପ୍ରାୟ ୩ଶହ ଗାଁ। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାରେ ୧୪ଟି ବ୍ଲକର ବିଦ୍ୟୁତ ସ୍ଥିତି ସଂପର୍କରେ ଆଲୋଚନା କରାଯାଇଛି। ଅଧାରେ ଅଟକିଥିବା କାମକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବାସିକ ବିଦ୍ୟାଳୟ ଓ ଅଙ୍ଗନବାଡି ଗୁଡିକରେ ବିଦ୍ୟୁତ ସଂଯୋଗ କରିବାକୁ ଦାବି କରାଯାଇଛି।
ତୁରନ୍ତ ବିଦ୍ୟୁତ ସମସ୍ୟାର ସମାଧାନ କରି କୋରାପୁଟବାସୀଙ୍କୁ ସୁବିଧା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
Follow Us