କନକ ବ୍ୟୁରୋ: ବନ୍ୟା ବେଳର ଅଭାବନୀୟ ଘଟଣା । ପାଣି ଭିତରେ ଖଟିଆରେ ବୁହାହେଲେ ରୋଗୀ। ପାଖାପାଖି ଦୁଇ କିଲୋମିଟର ରାସ୍ତା ଖଟିଆରେ ରୋଗୀଙ୍କୁ ବୋହିନେଲେ ସମ୍ପର୍କୀୟ। ଜଳେଶ୍ଵର ବ୍ଲକ ସୁଗୋ ପଞ୍ଚାୟତ ବାଣିଦା ଗାଁର ହରିଜନ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ରାସ୍ତା ନଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଗାଁ ଠାରୁ ୨ କିଲୋମିଟର ଦୁରରେ ଆମ୍ବୁଲାନ୍ସଟି ରହିଥିଲା। ପରିବାର ଲୋକେ ଦଉଡିଆ ଖଟିଆରେ କାନ୍ଧରେ ରୋଗୀକୁ ଆମ୍ବୁଲାନ୍ସ ପର୍ୟ୍ୟନ୍ତ ନେଇଥିଲେ। ବାଣିଦା ଗାଁର ଆଦୀବାସୀ ସାହିରେ ୨୦୦ରୁ ଅଧିକ ପରିବାର ବସବାସ କରନ୍ତି। ରାସ୍ତା ନଥିବାରୁ ଗ୍ରାମବାସୀ ବାରମ୍ବାର ରାସ୍ତା ପାଇଁ ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଆଜି ଗ୍ରାମର ଆକାଶ ଜେନାଙ୍କ ଦେହ ହୃଦଘାତରେ ଅସୁସ୍ଥ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ଆମ୍ବୁଲାନ୍ସ ଗାଁ ଠାରୁ ୨ କିଲୋମିଟର ଦୁରରେ ରହିବାରୁ ପରିବାର ଲୋକେ ଆଣ୍ଠୁଏ ପାଣିରେ ଆମ୍ବୁଲାନ୍ସ ପର୍ୟ୍ୟନ୍ତ ନେଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନେଇଥିଲେ।