କନକ ବ୍ୟୁରୋ: ଆଦିବାସୀ ମୁଲକର ଆଗୁଆ ଝିଅ । ହ୍ୟାଣ୍ଡବଲ ଖେଳରେ ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇ ପାରିଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରୀ। ପ୍ରଥମେ ବିଦ୍ୟାଳୟ ପରେ ଜିଲ୍ଲା ସ୍ତର, ପରେ ରାଜ୍ୟ ଓ ଏବେ ଜାତୀୟ ସ୍ତରରେ ହ୍ୟାଣ୍ଡବଲ ଖେଳ ଦୁନିଆରେ ନିଜର ସ୍ୱତନ୍ତ୍ର ସ୍ଥାନ ବନାଇଛନ୍ତି ମାଲକାନଗିରି ଜିଲ୍ଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ବିଭୂତି ମୁଣ୍ଡାଗୁଡ଼ିଆ। ଆଉ ବିଭୂତିଙ୍କ କାହାଣୀ ଏବେ ଏକ ଜାତୀୟ ଶିକ୍ଷା ଓ ସାକ୍ଷରତା ବିଭାଗର ପତ୍ରିକାରେ ସ୍ଥାନିତ ହେବା ଖବର ସାମନାକୁ ଆସିବା ପରେ ସମଗ୍ର ଜିଲ୍ଲାରେ ଏବେ ଖୁସିର ଲହରୀ ଖେଳିଯାଇଛି।
ମାଲକାନଗିରି ଜିଲ୍ଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ବିଭୂତି ମୁଣ୍ଡାଗୁଡ଼ିଆ। ବିଭୂତିଙ୍କୁ ନେଇ ସବୁଠି ଚର୍ଚ୍ଚା। କାରଣ ହ୍ୟାଣ୍ଡବଲ୍ କ୍ରୀଡ଼ା ପ୍ରତି ବିଭୂତିଙ୍କ ନିଷ୍ଠା ଓ ପରିଶ୍ରମ ବଳରେ ଏବେ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କ୍ରୀଡ଼ା ପ୍ରତି ବେଶ୍ ଆଗ୍ରହ ଥିବାରୁ ପ୍ରଥମେ ଖୋଖୋ, କବାଡ଼ି ଓ ହକି ଖେଳରେ ଅଧିକ ରୁଚି ରଖିଥିଲେ ବିଭୂତି। ତେବେ ୨ ବର୍ଷ ପୂର୍ବେ କ୍ରୀଡ଼ା ଶିକ୍ଷକଙ୍କ ଆଗ୍ରହକ୍ରମେ ହ୍ୟାଣ୍ଡବଲ୍ ଖେଳରେ ମନ ବଳାଇଥିଲେ ବିଭୂତି। ସେଦିନ ଠାରୁ ଆଉ ପଛକୁ ଫେରି ନାହାନ୍ତି। ପ୍ରଥମେ ଜିଲ୍ଲାସ୍ତର ପରେ ରାଜ୍ୟସ୍ତରରେ ସୁନାମ ଅର୍ଜନ କରିଥିଲେ ବିଭୂତି। ନିକଟରେ ମଧ୍ୟପ୍ରଦେଶ ଶାଦାପୁରଠାରେ ସ୍କୁଲ ଗେମ୍ସ ଫେଡେରେସନ୍ ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ସ୍ତରର କ୍ରୀଡ଼ାରେ ଓଡ଼ିଶା ହ୍ୟାଣ୍ଡ୍ବଲ୍ ଦଳରେ ସାମିଲ ହୋଇ ପରିଚୟ ସୃଷ୍ଟି କରିଛନ୍ତି ବିଭୂତି।
ଆର୍ଥିକ ଅନଟନ ସତ୍ତ୍ବେ ପାଠପଢ଼ା ସହ ଖେଳକୁ ମଧ୍ୟ ଗୁରୁତ୍ୱ ଦେଇ ଆସୁଛନ୍ତି ବିଭୂତି। ସହପାଠୀଙ୍କ ସହ ହ୍ୟାଣ୍ଡବଲ ଅଭ୍ୟାସରୁ ଆରମ୍ଭ ହୁଏ ବିଭୂତିଙ୍କ ଦିନ। ସନ୍ଧ୍ୟାରେ ମଧ୍ୟ ଅଭ୍ୟାସ ସହ ପାଠପଢ଼ାକୁ ଦିଅନ୍ତି ଗୁରୁତ୍ବ। ଏବେ ବିଭୂତିଙ୍କ ପ୍ରେରଣାଦାୟୀ କାହାଣୀ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଜାତୀୟ ପତ୍ରିକାରେ ସ୍ଥାନ ପାଇବାକୁ ଯାଉଛି।
ବିଭୂତିଙ୍କ ବାପା, ରାଜମିସ୍ତ୍ରୀ ଭାବେ କାମ କରନ୍ତି। ଘରେ ତାଙ୍କର ଜାଆଁଳା ଭାଇ ଓ ଭଉଣୀଙ୍କ ସହ ପୂରା ଯୌଥ ପରିବାର। ଛତୁ ଚାଷ କରି ଯାହା କିଛି ମିଳେ, ସେଥିରୁ ପିଲାଙ୍କୁ ପାଠ ପଢ଼ାଇବା ସହ ପରିବାର ପ୍ରତିପୋଷଣ ହୁଏ। ଆର୍ଥିକ ଅନଟନ ସତ୍ତ୍ବେ ପିଲାଟି ଦିନରୁ ବିଭୂତିଙ୍କୁ ଖେଳରେ କ୍ୟାରିୟର ଗଢ଼ିବା ପାଇଁ ସମର୍ଥନ କରି ଆସିଛନ୍ତି ବାପା। ତେବେ ସରକାରୀ ପ୍ରୋତ୍ସାହନ ଯୋଗୁ ବିଭୂତି ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି ବୋଲି କୁହନ୍ତି ବିଭୂତିଙ୍କ ପରିବାର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/02/adivasi-2025-09-02-10-56-46.jpg)