କନକ ବ୍ୟୁରୋ : ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ । ମାଆଙ୍କ ମନ୍ଦିରର ନବକଳେବର ହେବାକୁ ଯାଉଛି । ପ୍ରାୟ ୩୬ କୋଟି ଟଙ୍କା ବ୍ୟୟରେ ମାଆଙ୍କ ଭବ୍ୟ ମନ୍ଦିର ହେବ । ଏନେଇ ନକ୍ସା ପ୍ରସ୍ତୁତ ହୋଇଥିବା ବେଳେ ଖୁବଶୀଘ୍ର ମନ୍ଦିର କାମ ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ଭକ୍ତଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି । ଏନେଇ ରେଳ ବିଭାଗର ୬.୩ ଏକର ଜମି ମନ୍ଦିର କର୍ତ୍ତୃପକ୍ଷଙ୍କୁ ମାଗଣାରେ ପ୍ରଦାନ କରାଯାଇଛି । ଟେଣ୍ଡର ପ୍ରକ୍ରିୟା ସରିଲେ ମାଆଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ୧୮ ମାସ ମଧ୍ୟରେ ଶେଷ ହବ ମାଆଙ୍କ ମନ୍ଦିର କାମ ।
ଏହା ସହ ନିର୍ମାଣ ହବ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଫିସ, ମାନସିକଧାରୀଙ୍କ ମୁଣ୍ଡନ ଗୃହ, ଯାତ୍ରୀ ନିବାସ ଓ ମାର୍କେଟିଙ୍ଗ କମ୍ପ୍ଲେକ୍ସ ଆଦି ନିର୍ମାଣ ହବ । ୨୬ଟି ମାର୍କେଟିଙ୍ଗ କମ୍ପ୍ଲେକ୍ସ ରହିବ ଯେଉଁଠି ମାଆଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ରହିବ ।
ପ୍ରତିଦିନ ମାଆ ମଝିଘରିଆଣୀଙ୍କ ନିକଟକୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ମାଆଙ୍କ କିଭଳି ଶୃଙ୍ଖଳିତ ଦର୍ଶନ କରିବେ ଓ ପୂଜାର୍ଚ୍ଚନା ହୋଇପାରିବ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି । ସେହିଭଳି ଉପର ମହଲାରେ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ କେନ୍ଦ୍ର ରହିବ । ମାଆଙ୍କ ପୁରାତନ ପାଦ ମନ୍ଦିରର ମଧ୍ୟ ଉନ୍ନତିକରଣ କରାଯିବ । ଶ୍ରୀ ମନ୍ଦିରର ପରିକ୍ରମା ପ୍ରକଳ୍ପ ଭଳି କାର୍ଯ୍ୟ ହବା ନେଇ ନିଷ୍ପତି ହୋଇଛି ।
ମାଆଙ୍କ ମନ୍ଦିର ନବକଳେବର ହେଲେ ଏହା ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇବା ସହ ଅନ୍ୟ ରାଜ୍ୟରୁ ଭକ୍ତଙ୍କ ସୁଅ ଛୁଟିବ ।