କନକ ବ୍ୟୁରୋ : ସଂସଦରେ ଆଗତ ହୋଇଛି ନୂଆ ଆୟକର ବିଲ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଆଗତ ନୂଆ ଇନକମ୍ ଟାକ୍ସ ବିଲ୍ ଆଗତ କରିଛନ୍ତି। ବଜେଟ୍ ଅଧିବେଶନରେ ଆଗାମୀ ଦିନରେ ଏହି ବିଲକୁ ନେଇ ଚର୍ଚ୍ଚା କରାଯିବ। ଏହି ବିଲ୍ ୬୦ ବର୍ଷର ପୁରୁଣା ଇନକମ୍ ଟାକ୍ ଆକ୍ଟ-୧୯୬୧ର ସ୍ଥାନ ନେବ। ନୂଆ ଆୟକର ବିଲକୁ ପାରଦର୍ଶୀ ଏବଂ ଟ୍ୟାକ୍ସ ପ୍ରଦାନ ପାଇଁ ଅନୁକୁଳ ବୋଲି ଦାବି କରାଯାଇଛି। ଟ୍ୟାକ୍ସ ବ୍ୟବସ୍ଥାକୁ ସହଜ କରିବା ପାଇଁ ଡିଜିଟାଲୀକରଣ, ଟ୍ୟାକ୍ସ ପେମେଣ୍ଟରେ ସୁଧାରଠୁ ଆରମ୍ଭ କରି, ଟ୍ୟାକ୍ସ ଚୋରି ରୋକିବା ଦିଗରେ ନିୟମ ଅଧିକ କଡ଼ାକଡ଼ି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। 

Advertisment


ଅର୍ଥାତ୍ ଟ୍ୟାକ୍ସ ଫ୍ୟାଙ୍କିଲେ ଲୋକେ ମୋଟା ଅଙ୍କର ଜରିମାନା ଗଣିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କରିଥିବା ନୂଆ ଆୟକର ବିଲ୍‌ରେ ଧାରା ଓ ସିଡ୍ୟୁଲ ସଂଖ୍ୟା ଅଧିକ ରହିଛି। ସାଧାରଣତଃ ଦେଖାଯାଇଛି ଯେ ଟିକସ ଦେବା ସମୟରେ କରଦାତାମାନେ ମୂଲ୍ୟାୟନ ଏବଂ ଆର୍ଥିକ ବର୍ଷ ବିଷୟରେ ଦ୍ୱନ୍ଦ୍ୱରେ ପଡୁଥିଲେ। କିନ୍ତୁ ଏବେ ଏଗୁଡ଼ିକୁ ଦୂର କରି ନୂଆ ଆଇନ୍ ଅନୁସାରେ କେବଳ ଟିକସ ବର୍ଷ ବ୍ୟବହାର କରାଯିବ। ଉଦାହରଣ ସ୍ୱରୂପ, ୧ ଏପ୍ରିଲ୍, ୨୦୨୫ ରୁ ୩୧ ମାର୍ଚ୍ଚ, ୨୦୨୬ ପର୍ଯ୍ୟନ୍ତ, ଟିକସ ବର୍ଷ ୨୦୨୫-୨୬ ହେବ। ଅର୍ଥାତ୍, ଆର୍ଥିକ ବର୍ଷର ସମ୍ପୂର୍ଣ୍ଣ ୧୨ ମାସକୁ ଏବେ ଟିକସ ବର୍ଷ କୁହାଯିବ।