କନକ ବ୍ୟୁରୋ: ଲିଡ୍‌ସର ହେଡିଂଲେ ପଡ଼ିଆରେ ଆଜି(ଶୁକ୍ରବାର)ଠାରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍ । ତା’ସହିତ ଭାରତୀୟ କ୍ରିକେଟ୍‌ରେ ଆନୁଷ୍ଠାନିକ ଭାବେ ଗିଲ୍ ଯୁଗର ଶୁଭାରମ୍ଭ ହେବ। ୨୫ ବର୍ଷୀୟ ଶୁବମନ ଗିଲ୍‌ଙ୍କ ନେତୃତ୍ବରେ ପ୍ରଥମ ଥର ଭାରତୀୟ କ୍ରିକେଟ୍ ଦଳ ଏକ ପୂର୍ଣ୍ଣକାଳୀନ ଶୃଙ୍ଖଳା ଖେଳି ନୂଆ ଅଭିଯାନ ଆରମ୍ଭ କରିବ । ଦୁଇ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ଗିଲ୍ ଆନୁଷ୍ଠାନିକ ଭାବେ ଏହି ଟେଷ୍ଟ୍‌ରୁ ଭାରତୀୟ କ୍ରିକେଟ୍‌ର ମଙ୍ଗ ଧରିବେ । ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଓପନର୍ ଗୌତମ ଗମ୍ଭୀରଙ୍କ ପାଇଁ ମଧ୍ୟ ଏହି ଶୃଙ୍ଖଳା ନୂଆ ଆହ୍ବାନ ନେଇ ଆସିବ । 

Advertisment

ଗିଲ୍-ଗମ୍ଭୀର ଯୋଡ଼ି ୧୮ବର୍ଷ ପରେ ଇଂଲଣ୍ଡରେ ଭାରତୀୟ କ୍ରିକେଟ୍ ଦଳକୁ ଶୃଙ୍ଖଳା ବିଜୟୀ କରାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ । କିନ୍ତୁ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ହରାଇବା ଲାଗି ଭାରତୀୟ ଖେଳାଳିଙ୍କୁ ଦଳଗତ କ୍ରିକେଟ୍‌ର ଶ୍ରେଷ୍ଠ ନମୁନା ଦେଖାଇବାକୁ ହେବ । ପୁଣି ଏହି ଶୃଙ୍ଖଳା ଏକ ନୂଆ ଟ୍ରଫି ‘ସଚିନ-ଆଣ୍ଡରସନ୍’ ଟ୍ରଫି ପାଇଁ ଖେଳାଯିବ । ସେଥିପାଇଁ ଉଭୟ ଦେଶର ଟେଷ୍ଟ୍ ଇତିହାସରେ ଏହି ଶୃଙ୍ଖଳା ଢେର ଗୁରୁତ୍ୱ ବହନ କରିବ । ପ୍ରଥମ ଥର ପାଇଁ ମଧ୍ୟ ଶୃଙ୍ଖଳାର ବିଜୟୀ ଅଧିନାୟକଙ୍କୁ ପଟୌଦି ମେଡାଲ ପ୍ରଦାନ କରାଯିବ । ଯାହା ଏହାକୁ ସ୍ମରଣୀୟ ଓ ସ୍ୱତନ୍ତ୍ର କରିଛି ।

ଭାରତ ଶେଷ ଥର ପାଇଁ ୨୦୦୭ ମସିହାରେ ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା । ଏଣୁ ଗିଲ୍-ଗମ୍ଭୀର ଭାରତର ଏହି ୧୮ବର୍ଷର ପ୍ରତୀକ୍ଷାରେ ବିରାମ ଲଗାଇ ପାରିବେ କି ନାହିଁ ସେ ଚର୍ଚ୍ଚା ଏବେ ଚାରିଆଡ଼େ ଜୋର୍ ଧରିଛି । ଭାରତ ବି ଏହି ଶୃଙ୍ଖଳାରେ ୨୦୨୫-୨୭ ଚକ୍ର ଲାଗି ତା’ର ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନସିପ୍ ଅଭିଯାନ ଆରମ୍ଭ କରିବ । ସେଥିପାଇଁ ଏହାର ଗୁରୁତ୍ୱ ବହୁଗୁଣ ବଢ଼ିଛି । କୋହଲି ଓ ରୋହିତଙ୍କ ଅବସର ପରେ ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଏକାଧିକ ଯୁବ ତାରକାଙ୍କୁ ସୁଯୋଗ ଦେଇଛି । ଏହି ଗସ୍ତ ସେମାନଙ୍କ ପାଇଁ ମଧ୍ୟ ବଡ଼ ପରୀକ୍ଷା ଭାବେ ଉଭା ‌ହେବାକୁ ଯାଉଛି । ଭାରତର ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ହେବାର ଗୌରବ ହାସଲ କରିଥିବା ଗିଲ୍‌ଙ୍କ ନେତୃତ୍ୱ ଶୈଳୀ ଉପରେ ମଧ୍ୟ ସମସ୍ତଙ୍କ ଖାସ୍ ନଜର ରହିବ । ଗିଲ୍‌ଙ୍କ ନେତୃତ୍ୱରେ ଭାରତ ୨୦୨୪ ମସିହା ଜୁଲାଇ ମାସରେ ଜିମ୍ବାୱେ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୪-୧ରେ ଜିତିଥିଲା । ଇଂଲଣ୍ଡରେ ମଧ୍ୟ ସେ ଏହି ସଫଳତା ଦୋହରାଇବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି । 

କୋହଲି ଓ ରୋହିତଙ୍କ ଅବସର ପରେ ଭାରତୀୟ କ୍ରିକେଟ୍ ଦଳର ବ୍ୟାଟିଂକ୍ରମକୁ ନେଇ ଅନେକ ତର୍କ ବିତର୍କ ଚାଲିଛି । ତେବେ ଅଧିନାୟକ ଶୁବମନ୍ ଗିଲ୍ ତୃତୀୟ ପରିବର୍ତ୍ତେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ ବୋଲି ଉପଅଧିନାୟକ ଋଷଭ ପନ୍ତ ସୂଚନା ଦେଇଛନ୍ତି । କୋହଲିଙ୍କ ଅବସର ପରେ ଖାଲି ଥିବା ଏହି ସ୍ଥାନକୁ ଗିଲ୍ ହିଁ ପୂରଣ କରିବେ ବୋଲି ପନ୍ତ କହିଛନ୍ତି । ତେବେ ତିନି ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ, ତାହା ଏବେବି ରହସ୍ୟ ହୋଇ ରହିଛି । ମ୍ୟାଚ୍ ପୂର୍ବଦିନ ସାମ୍ବାଦିକ ସମ୍ମିଳନୀରେ ଗିଲ୍ ମଧ୍ୟ ଏହାକୁ ନେଇ କୌଣସି ସୂଚନା ଦେବାକୁ ମନା କରି ଦେଇଛନ୍ତି । 

୭ବର୍ଷ ପରେ ଭାରତୀୟ ଟେଷ୍ଟ୍ ଦଳକୁ ଫେରଥିବା କରୁଣ ନାୟର କିମ୍ବା ପ୍ରଥମ ଥର ଟେଷ୍ଟ୍ ଦଳରେ ସ୍ଥାନ ପାଇଥିବା ସାଇ ସୁଦର୍ଶନଙ୍କ ମଧ୍ୟରୁ ଜଣେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାର ସମ୍ଭାବନା ଅଧିକ ରହିଛି । ସେପଟେ ଏହି ପ୍ରତୀକ୍ଷିତ ମ୍ୟାଚ୍ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଇଂଲଣ୍ଡ ତାର ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି । ଓଲି ପୋପ୍ ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ ବୋଲି ମଧ୍ୟ ମଙ୍ଗଳବାର ସ୍ପଷ୍ଟ କରି ଦେଇଛି । ଋଷଭ ନିଜେ ପଞ୍ଚମରେ ବ୍ୟା‌ଟିଂ କରିବେ ବୋଲି ସଙ୍କେତ ଦେଇଛନ୍ତି । ଯଶପ୍ରୀତ୍ ବୁମ୍‌ରାଙ୍କ ସହ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଦ୍ରୁତ ବୋଲିଂ ବାହିନୀ ସମ୍ଭାଳିବେ । ବ୍ୟାଟିଂ ଦକ୍ଷତା ପାଇଁ ଶାର୍ଦୁଳ ଠାକୁର ଚତୁର୍ଥ ଦ୍ରୁତ ବୋଲର ଭାବେ ସ୍ଥାନ ନେଇ ପାରନ୍ତି । କୁଲଦୀପ ଯାଦବ ସ୍ପିନର୍‌ଙ୍କ ପାଇଁ ଥିବା ଗୋଟିଏ ସ୍ଥାନ ଏବଂ ଅଲରାଉଣ୍ଡର୍ ଭାବେ ରବୀନ୍ଦ୍ର ଜାଡେଜା ସୁଯୋଗ ପାଇପାରନ୍ତି । 

ଲିଡ୍‌ସରେ ଭାରତର ରେକର୍ଡ ଆଦୌ ଭଲ ନାହିଁ । ଏଠାରେ ଟିମ୍ ଇଣ୍ଡିଆ  ୭ଟି ମ୍ୟାଚ୍ ଖେଳି ମାତ୍ର ଦୁଇଟିରେ ବିଜୟୀ ହୋଇଛି । ୨୦୨୧-୨୨ରେ ଏଠାରେ ଖେଳିଥିବା ଶେଷ ଟେଷ୍ଟ୍‌କୁ ଭାରତ ଗୋଟିଏ ପାଳି ଓ ୭୬ ରନ୍‌ରେ ହାରିଥିଲା । ପୁଣି ଯେଉଁ ଦୁଇଟି ବିଜୟ ପାଇଥିଲା ତାହା ୧୯୮୬ ଓ ୨୦୦୨ ମସିହାରେ ହାସଲ କରିଥିଲା । ଫଳରେ ଭାରତ ପାଇଁ ଏହି ମ୍ୟାଚ୍ ସହଜ ହେଲା ଭଳି ଆଦୌ ମନେ ହେଉନି । ଏହି ଶୃଙ୍ଖଳାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଆଉ ୫ ୱିକେଟ୍ ନେଲେ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ଦେଶରେ ପ୍ରଥମ ଭାରତୀୟ ‌ବୋଲର୍ ଭାବେ ୧୫୦ ୱିକେଟ୍ କରାୟତ୍ତ କରିବେ । ଏସୀୟ ବୋଲରଙ୍କ ମଧ୍ୟରେ କେବଳ ୱାସିମ ଆକ୍ରମ ତାଙ୍କଠାରୁ ବିଦେଶରେ ଅଧିକ ୱିକେଟ୍ ନେଇଛନ୍ତି ।
ମ୍ୟାଚ୍‌ ପୂର୍ବଦିନ ହେଡିଂଲେ ପଡ଼ିଆ ପିଚ୍‌ରେ ସାମାନ୍ୟ ଘାସ ଥିବା ପରିଲକ୍ଷିତ ହୋଇଥିଲା । ତେବେ ମ୍ୟାଚ୍ ପୂର୍ବରୁ ଏହାର ସ୍ୱଭାବ ଇଂଲଣ୍ଡର ଆବଶ୍ୟକତା ମୁତାବକ ବଦଳାଇ ଦିଆଯିବାର ମଧ୍ୟ ସମ୍ଭାବନା ରହିଛି ।  ଶୁକ୍ରବାର ଲିଡ୍‌ସର ପାଗ ମୁଖ୍ୟତଃ ଶୁଷ୍କ ରହିବ । କ୍ୟୁରେଟର୍‌ଙ୍କ ପୂର୍ବାନୁମାନ ଅନୁସାରେ ପିଚ୍ ସମୟକ୍ରମେ ବ୍ୟାଟିଂ ପାଇଁ ସହଜ ହୋଇ ଚାଲିବ । ଏଣୁ ଟସ୍ ଜିତିବା ଦଳ ଏଠାରେ ପ୍ରଥମେ ବୋଲିଂ କଲେ ଫାଇଦାରେ ରହିବେ । ଏଠାରେ ଖେଳାଯାଇଥିବା କିଛି କାଉଣ୍ଟି ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରି ଦଳଗୁଡ଼ିକ ବିଜୟୀ ହେବାର ନଜିର ରହିଛି । 

ସମ୍ଭାବ୍ୟ ଭାରତ: ଯଶସ୍ୱୀ ଜୟସ୍ୱାଲ, କେଏଲ୍ ରାହୁଲ, କରୁଣ ନାୟର, ଶୁବମନ ଗିଲ୍ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍ ରକ୍ଷକ), ନୀତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, ଶାର୍ଦୁଳ ଠାକୁର, ଯଶପ୍ରୀତ୍ ବୁମ୍‌ରା, ମହମ୍ମଦ ସିରାଜ । 

ଇଂଲଣ୍ଡ ଏକାଦଶ: ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ୍ (ୱିକେଟ୍‌ରକ୍ଷକ), କ୍ରିସ୍ ଓକ୍ସ, ବ୍ରାଇଡନ୍ କାର୍ସ, ‌ଜୋସ୍ ଟଙ୍ଗ୍, ସୋଏବ ବସିର ।