କନକ ବ୍ୟୁରୋ: କାଲି ନେଇଥାନ୍ତେ ଅବସର, ଆଜି ମାଡ଼ି ବସିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ । ଜବତ ହୋଇଛି କୋଟି କୋଟି ଟଙ୍କା । ପୁରୀ ଓ ଅନୁଗୁଳରୁ ୭ଟି ପ୍ଲଟ୍ ଓ ୪ଟି ଫ୍ଲାଟ୍‌ ଠାବ ହୋଇଛି ।

Advertisment

ଗଦା ଗଦା ଟଙ୍କା । ଗଦି ଉପରେ ସଜେଇ ହୋଇଛି ଖଡ଼ଖଡ଼ିଆ ବିଡ଼ା ବିଡ଼ା ନୋଟ୍ । ଯୁଆଡ଼େ ଆଖି ବୁଲେଇବେ, ଟଙ୍କାରେ ଆଖି ଖୋସି ହୋଇଯିବ । ଚଟାଣ ଉପରେ କୋଟି କୋଟି ଟଙ୍କା ଦେଖି ଆପଣ ବି ଭାବୁଥିବେ ଏହା ଘର ନା ବ୍ୟାଙ୍କ । ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ବାବୁଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଟଙ୍କା ଗଣି ଗଣି ଭିଜିଲାନ୍ସ ଅଧିକାରୀ ହାଲିଆ ହେଲେ ପଛେ ଟଙ୍କା ଗଣା ସରିପାରିଲାନି । ଶେଷରେ ଟଙ୍କା ଗଣା ମେସିନ ଲାଗିଲା । ଗୋଟିଏ ପଟେ, ଟଙ୍କା ଗଣା ଚାଲିଥିଲା ।

ଆଉ ଗୋଟିଏ ପଟେ ଝରକା ଖୋଲି ବିଡ଼ା ବିଡ଼ା ଟଙ୍କା ଫୋପାଡ଼ି ଦେଇଥିଲେ ଲାଞ୍ଚୁଆ ବାବୁ । ହାତରେ ମେଞ୍ଚା ମେଞ୍ଚା ଟଙ୍କାକୁ ବିକଳରେ ଫୋପାଡ଼ି ଦେଇଥିଲେ । ଘରେ ଏତେ ଟଙ୍କା ଥିଲା ଯେ, ଆଜବେଷ୍ଟସ୍ ଉପରକୁ କୋଟି କୋଟି ଟଙ୍କା ଫୋପାଡ଼ି ଦେଇଥିଲେ । ସେପଟେ ବୈକୁଣ୍ଠଙ୍କ ଘର ଯେତିକି ଖୋଜା ଚାଲିଥିଲା, ସେତିକି ପରିମାଣର ଟଙ୍କା ମିଳୁଥିଲା । ଆଉ ଖୋଜୁ ଖୋଜୁ ପେଟି ଭିତରୁ ମିଳିଗଲା ଆହୁରି ୫୦ ଲକ୍ଷ । ଜାଣି ଆଶ୍ଚର୍ଯ୍ୟ ହେବେ ସେହି ସମୟରେ ଅନୁଗୁଳ ଘରୁ ବି ଟଙ୍କା ଭର୍ତ୍ତି ବ୍ୟାଗ ପାଇଥିଲା ଭିଜିଲାନ୍ସ ଟିମ୍ । କେବଳ ଘର ଭିତରୁ ମିଳିଲା ନଗଦ ୨ କୋଟି ୫୦ ଲକ୍ଷ ଟଙ୍କା । 

ଖାଲି ଟଙ୍କା ନୁହେଁ, ଲକ୍ଷଲକ୍ଷ ଟଙ୍କାର ପାଟଶାଢ଼ି । ଆଉ ସ୍ତ୍ରୀଙ୍କୁ ପସନ୍ଦ ମୁତାବକ ସୁନା ଗହଣା । ଟେବୁଲ ଉପରେ ଚକଚକ ହେଉଥିବା ସୁନା କେଉଁ ଗହଣା ଦୋକାନଠାରୁ କମ୍ ନୁହେଁ । ଖାଲି ସେତିକି ନୁହେଁ ସେୟାର ମାର୍କେଟରେ ଲଗାଇଥିଲେ ୨ କୋଟି ୭୦ ଲକ୍ଷ ଟଙ୍କା । ବ୍ୟାଙ୍କ ଡିପୋଜିଟ୍ ୧ କୋଟି ୫୦ ଲକ୍ଷ । ୭ଟି ପ୍ଲଟ୍, ୨ଟି ବିଳାସପୂର୍ଣ୍ଣ ବହୁତଳ ପ୍ରାସାଦ ଏବଂ ୨ଟି ଫ୍ଲାଟ୍ । ଏବେବି ତଦନ୍ତ ଚାଲିଛି ଆଉ ଲକର୍ ଖୋଲିବା ବାକି ଅଛି । 

ବନ୍ଧା ହୋଇଥିବା ବୈକୁଣ୍ଠଙ୍କର ଆସନ୍ତାକାଲି ଚାକିରି କାର୍ଯ୍ୟକାଳ ଶେଷ ହେଉଥିଲା । ବୈକୁଣ୍ଠଙ୍କୁ ବାନ୍ଧିଥିବା ଭିଜିଲାନ୍ସ ଅଫିସରଙ୍କ କାର୍ଯ୍ୟକାଳ ବି ଆସନ୍ତାକାଲି ଶେଷ ହେଉଛି । ବୈକୁଣ୍ଠ ତାଙ୍କ ଚାକିରିର ଶେଷ ଦିନ ଜେଲ ହାଜତରେ କାଟିବେ । ଆଉ ଭିଜିଲାନ୍ସ ଅଫିସର ଆସନ୍ତାକାଲି ଅଫିସରୁ ତାଙ୍କୁ କୋର୍ଟ ଚାଲାଣ କରିବେ ।