କନକ ବ୍ୟୁରୋ; ଗାଁରେ ପହଞ୍ଚୁଛି ପ୍ରଶାସନ । ପଂଚାୟତ ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି ସରକାରୀ ବାବୁ । ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ପରେ ଏବେ ଗ୍ରାମାଚଳରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଜିଲ୍ଲାପାଳ, ଏସ୍ପିଙ୍କ ଠାରୁ ଆରମ୍ଭ କରି ପୂରା ସରକାରୀ କଳ ।
ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । ଧାଡ଼ି ଧାଡ଼ି ହୋଇ ପଞ୍ଚାୟତ କାର୍ଯ୍ୟାଳୟ ମୁହାଁ ହୋଉଛନ୍ତି ଲୋକେ । ଆଉ ଅଫିସ ଭିତରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଜିଲ୍ଲାପାଳ, ଏସ୍ପିଙ୍କ ଠାରୁ ଆରମ୍ଭ କରି ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ । ଦୀର୍ଘଦିନ ଧରି ଯେଉଁ ଲୋକଙ୍କ ସମସ୍ୟା ସମାଧାନ ହୋଇନାହିଁ ଘଟଣାସ୍ଥଳରେ ହିଁ ସମାଧାନ ଲାଗି ଉଦ୍ୟମ ଆରମ୍ଭ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଅଭିଯୋଗ ଶୁଣାଣି ସ୍ଥାନରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ହୋଇଛି। ସ୍ପଟରେ ହିଁ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସରକାରୀ ସୁବିଧା ଦିଆଯାଉଛି ।
ପୂର୍ବରୁ ଜିଲ୍ଲାପାଳ ପଞ୍ଚାୟତକୁ ଯାଇ ଲୋକଙ୍କ ସମସ୍ୟା ସମାଧାନ ଲାଗି ନିର୍ଦ୍ଦେଶ ରହିଥିଲା । ଏବେ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଅନ୍ୟ ଅଧିକାରୀଙ୍କ ସହ ଅତି ଦୁର୍ଗମ ଅଂଚଳକୁ ଯାଇ ଲୋକଙ୍କ ସମସ୍ୟା ସହ ଅଂଚଳର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ପୂର୍ବରୁ ମାଓ ସମସ୍ୟା ଲାଗି ଅଧିକାରୀ ଦୁର୍ଗମ ଅଂଚଳକୁ ଯାଇପାରୁନଥିଲେ । ଏବେ ମାଓ ସମସ୍ୟା କମିଥିବାରୁ ଜିଲ୍ଲାପାଳ ଓ ପ୍ରାଶାସନିକ ଅଧିକାରୀ ଗ୍ରାଉଣ୍ଡରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।