କନକ ବ୍ୟୁରୋ: ପୂଜା ମଜାକୁ ଫିକା କରେଇବ ଲଘୁଚାପ ବର୍ଷା । ଗୋଟିଏ ନୁହେଁ ପଛକୁ ପଛ ଆସୁଛି ତିନିଟି ଲଘୁଚାପ । ଉତ୍ତର ବଙ୍ଗୋପସାଗରରେ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ । ଯାହାର ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରଚଣ୍ଡ ବ୍ରଜପାତ ସହ ଅତିପ୍ରବଳ ବର୍ଷା ଲାଗିରହିବ । ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼,କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ଭଦ୍ରକ, ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗୋଟିଏ ଲଘୁଚାପ ଦୁର୍ବଳ ହେଲା ବେଳକୁ ଆଉ ଏକ ଲଘୁଚାପ ୨୫ ସେପ୍ଟେମ୍ବର ବେଳକୁ ଦାନା ବାନ୍ଧୁଛି । ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି, ୨୬ ସେପ୍ଟେମ୍ବର ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ । ପରେ ଅଧିକ ଘନୀଭୂତ ହେଇ ଲଘୁଚାପ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଅଵପାତର ରୂପ ନେବ। ଏହା ୨୭ ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି ।
୨୫ରୁ ୨୭ ସେପ୍ଟେମ୍ବର ମଧ୍ୟରେ ଆନ୍ଧ୍ର ପ୍ରଦେଶ - ଓଡ଼ିଶା - ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ୨୪ ସେପ୍ଟେମ୍ବର ସୁଦ୍ଧା ଉପକୂଳକୁ ଫେରିବାକୁ ସତର୍କ କରାଯାଇଛି । ମାସ ଶେଷ ବେଳକୁ ଦକ୍ଷିଣ ଚୀନ ସାଗରରୁ ଏକ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି କରିବା ସମ୍ଭାବନା ଅଛି । ଏବେ ମୌସୁମୀଜନିତ ନିମ୍ନଚାପରେଖା ଓ ଟ୍ରଫ୍ଲାଇନ ପାଇଁ ରାଜ୍ୟରେ ବର୍ଷା ଲାଗିରହିଛି I