କନକ ବ୍ୟୁରୋ: କାହିଁକି ଅଲୋଡ଼ା ବୁଢ଼ାବାପା, ମାଆ। ଅନେକ ବୟସ୍କ ବ୍ୟକ୍ତି ଏମିତି ଜୀବନ ଜିଉଁଛନ୍ତି, ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏମାନଙ୍କର ନା ଅଛି ପରିବାର ନା ଅଛନ୍ତି ଆତ୍ମୀୟ ସ୍ୱଜନ। ତେବେ ଏଠି ସମସ୍ତେ ପୂର୍ବରୁ ପରସ୍ପର ଅଚିହ୍ନା ହୋଇଥିଲେ ବି ଏବେ ଗୋଟିଏ ପରିବାର। ଆସନ୍ତୁ ଏମିତି ଏକ ବୃଦ୍ଧାଶ୍ରମକୁ ଯିବା, ଯେଉଁଠି ପରିବାର ହରାଇ ନୂଆ ପରିବାର ପାଇଛନ୍ତି ସମସ୍ତେ । ବିଶ୍ଵାସର ବିଷ ଭିତରୁ ଏମାନେ ନୂଆ ସମ୍ପର୍କ ଗଢ଼ି ତୋଳିଛନ୍ତି ।
ବୟସର ଅପରାହ୍ନରେ ଯେଉଁଠି ଭଲ ପାଇବା ମିଳିବା କଥା, ସେଠି ମିଳିଛି ନିନ୍ଦା ଅପବାଦ। ଚମ ଧୁଡୁଧୁଡୁ ହେଲାଣି, ଆଖିକୁ ଭଲ ଦିଶୁନି । ସ୍ୱାମୀ, ପିଲାଛୁଆ ସବୁ ଅଛନ୍ତି, ତଥାପି ଏମାନେ ବେସାହାରା । ଯେଉଁଠି ମନ ମିଶିଲାନି, ଯେଉଁଠି ବାପାମାଆଙ୍କୁ ସମ୍ମାନ ମିଳିଲାନି, ସେଠି ଆଉ ରହିବା ସମ୍ଭବ ନୁହେଁ । ଆପଣାର କହିଲେ ଏଇ ସମସ୍ତେ ସମଦୁଃଖୀ ପରିବାର, ଭୁବନେଶ୍ୱର ନନ୍ଦନବିହାରର ସ୍ନେହ ମନ୍ଦିର । ଏଠି କେହି କାହାକୁ ଆଗରୁ ଚିହ୍ନି ନଥିଲେ ବି ଏବେ ଏମାନେ ପରିବାର ପରି ଚଳୁଛନ୍ତି ।
୨୦୨୧ ମସିହାରୁ ଆରମ୍ଭ ହୋଇଥିଲା ସ୍ନେହ ମନ୍ଦିର ବୃଦ୍ଧାଶ୍ରମ । ବର୍ତ୍ତମାନ ସୁଦ୍ଧା ୧୫ରୁ ୧୮ଜଣ ଅସହାୟ ବୃଦ୍ଧବୃଦ୍ଧା ରହୁଛନ୍ତି । କିଏ ଦିବ୍ୟାଙ୍ଗ ତ କିଏ ଭଲରେ ଦେଖିପାରୁନି। ହେଲେ ସମସ୍ତଙ୍କୁ ଏଠାରେ ମିଳୁଛି ସବୁ ପ୍ରକାର ସୁବିଧା । ଖାଦ୍ୟ, ବସ୍ତ୍ର ଓ ବାସଗୃହ ସହ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଉଛି । ଏହି ବୃଦ୍ଧାଶ୍ରମକୁ ଚଳାଇ ଆସୁଛନ୍ତି ସମାଜସେବୀ ରାହୁଲ ସ୍ୱାଇଁ । ରାଜଧାନୀରେ ଅନେକ ଵୃଦ୍ଧାଶ୍ରମ ଥିଲେ ବି ଏଠାକାର ସ୍ୱତନ୍ତ୍ରତା ହେଉଛି, ଏହାର ପ୍ରତିଷ୍ଠାତା ନିଜସ୍ୱ ରୋଜଗାରରେ ଏହା ଚଳାଉଛନ୍ତି । କୌଣସି ବାହାର ଫଣ୍ଡିଂ ଏହି ଆଶ୍ରମକୁ ଆସିନାହିଁ । ନିଜ ଘର ଓ ପ୍ରିୟଜନଙ୍କଠାରୁ ଦୂରରେ ରହିବି, ଏଠି କୌଣସି କମି ନାହିଁ । ବରଂ ଅତି ଖୁସିରେ ଏ ଯନ୍ତ୍ରଣାମୟ ଜୀବନକୁ ଗ୍ରହଣ କରି ଅନ୍ତେବାସୀମାନେ ବାକି ଜୀବନ କାଟୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/09/gCRobSMqTA4niLJRYT3D.jpg)