କନକ ବ୍ୟୁରୋ : ପୁଷ୍ଟିକର ଆହାର ନାଁରେ ମିଳୁଛି କେବଳ ନିମ୍ନମାନର ଛତୁଆ । ଗର୍ଭସ୍ଥ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଜୀବନ ସହ ସାଂଘାତିକ ଖେଳ ଚାଲିଛି । ନିମ୍ନମାନର ଛତୁଆ ଦେଇ ବର୍ଷ ବର୍ଷ ଧରି ମା ଓ ଛୁଆଙ୍କୁ ଭଣ୍ଡାଇ ଚାଲିଛନ୍ତି । ସାରା ରାଜ୍ୟରୁ ନିମ୍ନମାନର ଛତୁଆକୁ ନେଇ ସଙ୍ଗୀନ ଅଭିଯୋଗ ଆସିଥିଲା । ବିଧାନସଭାରେ ମଧ୍ୟ ଏନେଇ ହୋହଲ୍ଲା ହୋଇଥିଲା । ପରେ ଛତୁଆର ମାନ ପରୀକ୍ଷଣ ପାଇଁ ଗୋଟିଏ ବର୍ଷ ଧରି ସାମ୍ପୁଲ ସଂଗ୍ରହ ହୋଇଥିଲା । ଏବେ ରାଜ୍ୟ ଖାଦ୍ୟ ପରୀକ୍ଷଣ ଲାବରୋଟାରୀର ରିପୋର୍ଟ ଛତୁଆର ସାଂଘାତିକ ସତକୁ ସାମ୍ନାକୁ ଆଣିଛି ।
- ମହିଳା ଓ ଶିଶୁ ବିକାଶ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇ ସାମ୍ପୁଲ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଥିଲା
- ଏପ୍ରିଲ ୨୦୨୩ରୁ ଜୁନ୍ ୨୦୨୪ ମଧ୍ୟରେ ଛତୁଆର ମାନ ପରୀକ୍ଷା ପାଇଁ ସାମ୍ପୁଲ ସଂଗ୍ରହ ହୋଇଥିଲା
- ଯାଞ୍ଚ ପରେ ଛତୁଆ ନିମ୍ନମାନର ବୋଲି ଜଣାପଡିଛି
- କିଛି ଏସଏଚଜି ଗୋଷ୍ଠୀ ନିମ୍ନମାନର ଛତୁଆ ଯୋଗାଇ ଧରାପଡିଛନ୍ତି - କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ବାରମ୍ବାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜିଲ୍ଲାପାଳ ନୀରବଦ୍ରଷ୍ଟା ସାଜିଛନ୍ତି । ଏପରିକି ବିଭାଗର ସଚିବ ଏନେଇ ମୁହଁ ଖୋଲୁନାହାନ୍ତି । ରିପୋର୍ଟ ଦାଖଲର ଡେଡଲାଇନ ବିତିଯାଇଥିଲେ ମଧ୍ୟ ନିମ୍ନମାନର ଛତୁଆ ଯୋଗାଣ ଏବେ ବି ଜାରି ରହିଛି ।
ଏହି ରିପୋର୍ଟ ଉପରେ ଟିକେ ନଜର ପକାନ୍ତୁ । ବଲାଙ୍ଗୀର, କଟକ, ଜଗତସିଂହପୁର, କୋରାପୁଟ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାରେ ଅତି ନିମ୍ନମାନର ଛତୁଆ ଯୋଗାଣ ହେଉଥିବା ଘଟଣା ସାମ୍ନାକୁ ଆସିଛି । ସେହିଭଳି ବାଲେଶ୍ବର ଜିଲ୍ଲାରେ ଫୁଡ ଲାଇସେନ୍ସ ନଥିବା ସତ୍ତ୍ବେ ମଧ୍ୟ ଛତୁଆ ବାଣ୍ଟୁଛି ଲକ୍ଷ୍ମୀନାରାୟଣ ଗାଦି ମିଶନ ଶକ୍ତି ଗ୍ରୁପ୍ । ଲଗାତାର ୪ ମାସ ହେବ ନିମ୍ନମାନର ଛୁତଆ ବଣ୍ଟାଯାଉଛି । ଜିଲ୍ଲାପାଳ ଏ ସଂକ୍ରାନ୍ତ ଅଭିଯୋଗ ନ ଶୁଣିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଇଛନ୍ତି ସ୍ଥାନୀୟ ଲୋକେ । କିନ୍ତୁ ପ୍ରଶ୍ନ ଉଠୁଛି, ନିମ୍ନମାନର ଛତୁଆ ଯୋଗାଣ ପଛରେ କାର୍ପଟଦାର କିଏ? କାହିଁକି କାର୍ୟ୍ୟାନୁଷ୍ଠାନ ନେବାରେ ହେଉଛି ବିଳମ୍ବ? ପ୍ରସୂତିଙ୍କୁ ପୁଷ୍ଟିକର ଖାଦ୍ୟ ଦେବା କ୍ଷେତ୍ରରେ କିଭଳି ଏତେ ସମ୍ବେଦନହୀନ ହୋଇପାରୁଛି ପ୍ରଶାସନ । କାର୍ଯ୍ୟାନୁଷ୍ଠାନ ବଦଳରେ କାହିଁକି ନିମ୍ନମାନର ଛତୁଆ ଯୋଗାଉଥିବା ସଂସ୍ଥାକୁ ଅନୁକମ୍ପା ଦେଖାଉଛି ଜିଲ୍ଲା ପ୍ରଶାସନ ।