କନକ ବ୍ୟୁରୋ: ଲୁଟେରାଙ୍କ ଆତଙ୍କ ରାଜ୍। ସମ୍ବଲପୁରରେ ପୋଲିସକୁ ଖୋଲା ଚ୍ୟାଲେଂଜ ଦେଲେ ଲୁଟେରା। ବାଇକ୍ରେ ଆସିଲେ ଆଉ ବନ୍ଧୁକ ମୁନରେ ୩୦କେଜି ସୁନା ଲୁଟି ଚମ୍ପଟ ମାରିଲେ। ଏକ ଗୋଲ୍ଡ ଫାଇନାନ୍ସ କମ୍ପାନୀରେ ସକାଳୁ ସକାଳୁ ହୋଇଛି ଏହି ଲୁଟ୍। ପୋଲିସ ଏକ ଟିମ ଗଠନ କରି ଛାନଭିନ କରିବା ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଛି ।
ସମୟ ସକାଳ ୯ଟା ୪୦ରୁ ୯ଟା ୪୫। ବୁଢାରଜା ସ୍ଥିତ ମଣପୁରମ ବ୍ରାଂଚରେ ହଠାତ୍ ୬ରୁ ୭ ଜଣ ମୁଖାପିନ୍ଧା ଦୃର୍ବୃତ୍ତ ପଶିଥିଲେ, କେହି କିଛି ବୁଝିବା ପୂର୍ବରୁ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ବାନ୍ଧି ଦେଇଥିଲେ, ପରେ କର୍ମଚାରୀଙ୍କୁ ମାଡ଼ ମାରି ଭୟଭୀତ କରି ଲକର ପାସୱାର୍ଡ ମାଗିଥିଲେ। କିଛି ସମୟ ପାଇଁ ଚାଲିଲା ଲୁଟେରାଙ୍କ ଆତଙ୍କ ରାଜ୍। ପରେ ଲକରରୁ ୩୦କେଜି ସୁନା ଓ ୪ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କରି ବାଇକ୍ରେ ଫେରାର୍ ହେଇଗଲେ । ଲୁଟେରାମାନେ ହିନ୍ଦିରେ କଥା ହେଉଥିଲେ ଏବଂ ସମସ୍ତଙ୍କ ହାତରେ ବନ୍ଧୁକ ଥିଲା ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।
ଲୁଟ୍ ପରେ ପୋଲିସ କର୍ମଚାରୀଙ୍କୁ ପଚରାଉଚୁରା କରିବା ସହ ଛାନ୍ ଭିନ୍ ଚଳାଇଛି। ଲୁଟେରାମାନେ ଅଇଁଠାପାଲିରେ ଜାତୀୟ ରାଜପଥ ଦେଇ ବାହାରି ଯାଇଥିବା ସିସିଟିଭିରୁ ଜଣାପଡ଼ିଛି। ପୋଲିସ ଏକ ଟିମ୍ ଗଠନ କରି ନାକାବନ୍ଦୀ ଆରମ୍ଭ କରିଛି। ଉତ୍ତରାଂଚଳ ଆଇଜି ଘଟଣାର ତଦନ୍ତ କରୁଛନ୍ତି ।
ଏହା ପୂର୍ବରୁ ସମ୍ୱଲପୁରରେ ଅନ୍ୟ ଏକ ଫାଇନାନ୍ସ କମ୍ପାନୀରେ ସମାନ ଷ୍ଟାଇଲରେ ଲୁଟ ହୋଇଥିଲେ ମଧ୍ୟ ଲୁଟେରା ଏଯାଏଁ ଧରାପଡ଼ିନାହାଁନ୍ତି । ଆଉ ଆଜିର ଏହି ଲୁଟ୍ ଘଟଣା ପୋଲିସ ପାଇଁ ପୁଣି ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/03/boWEgUMVKHuQmvk4si1T.jpg)