କନକ ବ୍ୟୁରୋ : ଓଡ଼ିଶା ତଥା ଓଡ଼ିଶା ବାହାରେ ଏକାଧିକ ମଞ୍ଚରେ ପରିବେଷିତ ହୋଇ ଅଜସ୍ର ପ୍ରଶଂସା ସାଉଁଟିଥିବା ‘ଚକ୍‌ଲେଟ୍‌ ପ୍ରଡକ୍ସନର ବହୁ ଚର୍ଚ୍ଚିତ ଓଡ଼ିଆ ନାଟକ ‘ଆହେ ନୀଳ ଶଇଳ’ ଆଜି ପୁଣି ଥରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି । କୋଟି ଓଡ଼ିଆଙ୍କ ରକ୍ଷାକର୍ତ୍ତା ବଡ଼ଠାକୁର ଶ୍ରୀ ଜଗନ୍ନାଥ ଓ ତତ୍କାଳୀନ ଗଜପତି ରାଜା ରାମଚନ୍ଦ୍ର ଦେବଙ୍କ କାହାଣୀ ଉପରେ ଆଧାରିତ ଏହି ନାଟକ ଦର୍ଶକଙ୍କୁ ଭକ୍ତିରସରେ ଭିଜାଇ ଦେଇଥିଲା । ନାଟକର ଐତିହାସିକ ବିଷୟବସ୍ତୁ, ଉ‌ଚ୍ଚକୋଟିର  ନି‌ର୍ଦ୍ଦେଶନା ଓ ନିଖୁଣ ଅଭିନୟ ଦେଖି ଦର୍ଶକଙ୍କ ଆଖିରୁ ଝରିଥିଲା ଲୁହ ।

Advertisment

ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ । ନାଟକ ‘ଆହେ ନୀଳ ଶଇଳ’ ପ୍ରଦର୍ଶନ ବେଳେ ଭାବବିହ୍ୱଳ ହେଲେ ଶତାଧିକ ଦର୍ଶକ । ଆଖିରୁ ଝରିଲା ଲୁହ । କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ କଥାବସ୍ତୁ ଉପରେ ଆଧାରିତ ନାଟକ ‘ଆହେ ନୀଳ ଶଇଳ’ ସଭିଙ୍କୁ କଲା ମନ୍ତ୍ରମୁଗ୍ଧ । କଥାବସ୍ତୁରେ ରହିଛି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବଙ୍କ ଗାଥା । ଗଜପତି ରାମଚନ୍ଦ୍ର ଦେବଙ୍କ ସଂଘର୍ଷ ଓ ବଳିଦାନର କାହାଣୀ ଦର୍ଶକଙ୍କୁ ଲୁହ ଓ କୋହରେ ଭିଜାଇଥିଲା । କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୂ ବାନ୍ଧି ରଖିଥିଲା । 

 ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ପୁଣି ଥରେ ପରିବେଷିତ ହେଉଛି ଆଧ୍ୟାତ୍ମିକ ନାଟକ ଆହେ ନୀଳ ଶଇଳ । ୪ ଦିନ ମଞ୍ଚସ୍ଥ ହେବାକୁ ଥିବା ନାଟକର ପ୍ରଥମ ଦିନ ହାଉସଫୁଲ ହୋଇଥିଲା । ବହୁ ଚର୍ଚ୍ଚିତ ନାଟକ ‘ଆହେ ନୀଳଶଇଳ’ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ  ଆସିଥିଲେ ଦର୍ଶକ । ନାଟକ ଆରମ୍ଭ ହେବାର ଅନେକ ସମୟ ଆଗରୁ ଦର୍ଶକମାନେ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।

ଆସନ୍ତା ୧୨ ତାରିଖ ଯାଏଁ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ‘ଆହେ ନୀଳଶଇଳ ।  ଏହି ନାଟକକୁ ମିଳିଛି ଅନେକ ଭଲପାଇବା । ସେଥିପାଇଁତ ୪ ଦିନ ମଞ୍ଚସ୍ଥ ହେବାକୁ ଥିବା ନାଟକର ସମସ୍ତ ଟିକଟ ଅନଲାଇନରେ ବହୁ ଆଗରୁ ବିକ୍ରି ହୋଇଯାଇଛି ।