କନକ ବ୍ୟୁରୋ : ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଘରେ ନଗଦ ଟଙ୍କା ଠୁଳ ମାମଲା । ବିଚାରପତିଙ୍କ ଘରେ ନିଆଁ ଲାଗିବା ଘଟଣାର ଏକ ଭିଡିଓ ସାର୍ବଜନୀନ କରିଛନ୍ତି ସୁପ୍ରିମକୋର୍ଟ । ଏହି ଭିଡିଓରେ ବିପୁଳ ପରିମାଣର ନଗଦ ଟଙ୍କା ଠାବ ହୋଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ପୁଲିସ ଏହାକୁ ରେକର୍ଡ ମଧ୍ୟ କରିଛି । ଏଥିସହ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ଓ କିଛି ଫଟୋ ମଧ୍ୟ ସାର୍ବଜନୀନ କରାଯାଇଛି । ଏ ବାବଦର ୨୫ ପୃଷ୍ଠାର ରିପୋର୍ଟ ସହିତ ଜଳୁଥିବା ନୋଟର ଫଟୋ ଓ ଭିଡିଓ ସୁପ୍ରିମକୋର୍ଟ ୱେବସାଇଟରେ ଅପଲୋଡ ହୋଇଛି । ଏହି ଭିଡିଓଟି ୧ ମିନିଟ୍ ୭ ସେକେଣ୍ଡର, ଯେଉଁଥିରେ ନୋଟ୍ ଜଳୁଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉପସ୍ଥିତ ଅଗ୍ନିଶମ କର୍ମଚାରୀ ମାନେ ସଫେଇ କରୁଥିବା ଭିଡିଓରେ ଦେଖାଯାଉଛି ।
ସେପଟେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଗଠନ ହୋଇଛି କମିଟି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଂଜୀବ ଖାନ୍ନା, ଏକ ୩ ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୧୪ ତାରିଖରେ ଜଷ୍ଟିସ ବର୍ମାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଥିଲା । ତେବେ ଏହି ସମୟରେ ବିପୁଳ ନଗଦ ଟଙ୍କା ଠାବ ହୋଇଥିବା ଚର୍ଚ୍ଚା ହୋଇଥିଲା । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ମଧ୍ୟ ଏକ ଅନ୍ତରୀଣ ତଦନ୍ତ ମାର୍ଚ୍ଚ ୨୦ରେ ଆରମ୍ଭ ହୋଇଥିଲା । ଏସବୁ ଭିତରେ ଜଷ୍ଟିସ୍ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବା ବିବାଦକୁ ବଢ଼ାଇ ଦେଇଛି ।