କନକ ବ୍ୟୁରୋ : ଦାଦନ ପ୍ରବଣ ଜିଲ୍ଲା ବଲାଙ୍ଗୀର । ପେଟ ପାଟଣା ପାଇଁ ପ୍ରତିବର୍ଷ ଭିଟାମାଟି ଛାଡ଼ନ୍ତି ଲକ୍ଷଲକ୍ଷ ଶ୍ରମିକ । ଆଗୁଆ ଟଙ୍କା ଦେଇ ନେଇଯାଆନ୍ତି ଦାଦନ ସର୍ଦ୍ଦାର। ଘର ଛାଡ଼ି ପର ରାଜ୍ୟରେ ପାଦ ଦେବା ପରେ ଆରମ୍ଭ ହୁଏ ଯନ୍ତ୍ରଣାପୂର୍ଣ୍ଣ ଜୀବନ । ଯିଏ ଲୁଚି ଖସି ଆସନ୍ତି ସିଏ ବଞ୍ଚି ଯାଆନ୍ତି । ଆଉ ଯେଉଁମାନେ ରହିଯାନ୍ତି, ସେମାନଙ୍କ ଜୀବନ ଦୁର୍ବିସହ ହୋଇଯାଏ । ଅନେକ ତ ଶବ ହୋଇ ଫେରନ୍ତି । ସପ୍ତାହେ ଭିତରେ ପାଟଣାଗଡ଼ରୁ ୬ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆସିଛି । ବେଲପଡ଼ା ଥାନା ଅନ୍ତର୍ଗତ ଥୁଡ଼ିବାହାଲ ଗାଁର ନୁଆଦେଇ ନାଗଙ୍କ ଶବ ଗାଁରେ ପହଞ୍ଚିବା ପରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ ।
ନୁଆଦେଇଙ୍କ ସମେତ ୫ ଜଣ ଶ୍ରମିକ ହାଇଦ୍ରାବାଦରେ କାମ କରୁଥିବା ବେଳେ ଝାଡ଼ାବାନ୍ତିରେ ତାଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ଶବ ଗାଁକୁ ଆସି ସାରିଛି । ଆଉ ଜଣେ ଅସ୍ୱଭାବିକ ଭାବେ ମୃତ୍ୟୁବରଣ କରିଛନ୍ତି । ଅର୍ଥ ଅଭାବରୁ ତାଙ୍କ ଶବ ଘରକୁ ଆସିପାରୁନାହିଁ । ଦଲାଲଙ୍କ କବଳକୁ ଖସି ଆସିଥିବା ୨ଟି ଦାଦନ ପରିବାର କନକ ନ୍ୟୁଜରେ କହିଛନ୍ତି ଦାଦନର କରୁଣ କାହାଣୀ ।
ବଲାଙ୍ଗୀର ଜିଲ୍ଲାରେ ଦାଦନ ରୋକିବାକୁ ଟାସ୍କ ଫୋର୍ସ ଗଠନ କରାଯାଇଛି । କାଗଜ କଲମରେ ଟାସ୍କ ଫୋର୍ସ ଚାଲିଥିବା ବେଳେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ବେଲପଡାର ଦାଦନ ଶ୍ରମିକଙ୍କ ଶବ ଗାଁକୁ ଫେରୁଥିବା ବେଳେ ଗଣମାଧ୍ୟମରେ ଏ ସଂପର୍କରେ ମୁହଁ ଖୋଲୁନାହାନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।