କନକ ବ୍ୟୁରୋ : ଗାଁରେ ମାଙ୍କଡ ଆତଙ୍କ, ମାଙ୍କଡ କାମୁଡାରେ ୧୫ରୁ ଅଧିକ ଆହତ । ମାଙ୍କଡ ଘଉଡ଼ାଇବା ପାଇଁ ବନ ବିଭାଗର କସରତ । ପାଖରେ ସରଞ୍ଜାମ ନଥିବାରୁ ବାରମ୍ବାର ବିଫଳ । ବାଲେଶ୍ୱର ଜିଲ୍ଲା ବସ୍ତାରେ ମାଙ୍କଡ଼ ଆକ୍ରମଣ ଭୟରେ କବାଟ ବନ୍ଦ କରି ଘରେ ରହୁଛନ୍ତି ଗ୍ରାମବାସୀ ।
ଘରେ ପଶିଯାଉଛି ମାଙ୍କଡ଼ । ବେଶ କିଛି ଦିନ ହେଲା ୫୦ରୁ ଅଧିକ ମାଙ୍କଡ଼ ବସ୍ତା ବ୍ଲକ ଅନ୍ତର୍ଗତ ସାନଅସ୍ତି ଗାଁରେ ଡେରା ପକାଇଛନ୍ତି । ଲୋକଙ୍କୁ ଦେଖିବା କ୍ଷଣି ଗୋଡ଼ାଇ ଯାଉଛନ୍ତି । କାମୁଡ଼ି ଆମ୍ପୁଡ଼ି ଆକ୍ରାନ୍ତ କରୁଛନ୍ତି । ମାଙ୍କଡ଼ ଆକ୍ରମଣରେ ୧୫ରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘରୁ ବାହାରିବାକୁ ଭୟ କରୁଛନ୍ତି । କବାଟ ବନ୍ଦ କରି ଘରେ ରହୁଛନ୍ତି । ଅତି ଆବଶ୍ୟକ ହେଲେ ଡକାଡ଼କି ହୋଇ ବାହାରୁଛନ୍ତି । ହାତରେ ଠେଙ୍ଗା ବାଡ଼ି ବାଟୁଳି ଧରୁଛନ୍ତି ।
ସାନଅସ୍ତି ଗାଁ ସହିତ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଥିବା ଗାଁ କୁଙ୍କୁଡ଼ି, ମଠକୁଙ୍କୁଡ଼ି ଏବଂ ପାଳସାହିରେ ମଧ୍ୟ ମାଙ୍କଡ଼ ଆତଙ୍କ ଲାଗି ରହିଛି । ନଦୀପଠାରେ ଚାଷୀ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାନ୍ତି । ମାଙ୍କଡ଼ ପଲ ସବୁ ପରିବା ଫସଲ ନଷ୍ଟ କରୁଛନ୍ତି । ଜଳେଶ୍ୱର ବନ ବିଭାଗ ମାଙ୍କଡ଼ ଘଉଡାଇବା ପାଇଁ ଉଦ୍ୟମ କରୁଛି । ବନ ବିଭାଗର ଦୁଇ ଜଣ କର୍ମଚାରୀ ଗାଁରେ ପହଞ୍ଚିଥିଲେ ମଧ୍ୟ ପାଖରେ ସରଞ୍ଜାମ ନଥିବାରୁ ବିଫଳ ହୋଇଛନ୍ତି ।
ମାଙ୍କଡ ଉପଦ୍ରବ ରୋକିବା ପାଇଁ କେଉଁଝରର ମାଙ୍କଡିଆଙ୍କ ସହିତ ଯୋଗାଯୋଗ କରାଯାଇଛି । ଦିନେ ଦୁଇଦିନ ଭିତରେ ସବୁ ମାଙ୍କଡ଼କୁ ଧରାଯିବ ବୋଲି ଜଣାପଡିଛି ।