କନକ ବ୍ୟୁରୋ : ସରକାର ସରକାରୀ ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବାକୁ ଶହ ଶହ କୋଟି ଟଙ୍କା ରାଜକୋଷରୁ ପାଣିଭଳି ଖର୍ଚ୍ଚ କରୁଛନ୍ତି । ପୂର୍ବ ସରକାର ୫ଟି ସ୍କୁଲ ନାମରେ ଅନେକ ଡିଣ୍ଡିମ ମଧ୍ୟ ପିଟିଲେ । ହେଲେ ୧୪ ବର୍ଷ ଧରି ଗୋଟିଏ ସ୍କୁଲର ପିଲା ଛେଳି ଗୁହାଳରେ ବସି ପାଠ ପଢୁଥିବାର ଚିତ୍ର ସାମ୍ନାକୁ ଆସିବା ପରେ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କପ୍ତିପଦା ବ୍ଲକ ଜଡିଦା ପଞ୍ଚାୟତର ଠାକୁରାସାହି ପ୍ରାଥମିକ ବିଦ୍ୟାଳୟ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି  । ଜଣେ ଶିକ୍ଷକ ଏବଂ ଜଣେ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି । ବିଦ୍ୟାଳୟର ନିଜସ୍ୱ ଘର ନଥିବାରୁ ଗାଁର ଜଣେ ବ୍ୟକ୍ତିଙ୍କ ପିଣ୍ଡାରେ ବସି ପିଲାମାନେ ପଢୁଛନ୍ତି । ସେହିଠାରେ ହିଁ ମଧ୍ୟାହ୍ନ ଭୋଜନ ରୋଷେଇ, ଖିଆପିଆ ସବୁ ଚାଲିଛି।

Advertisment

 ଠାକୁରାସାହି ପ୍ରାଥମିକ ବିଦ୍ୟାଳୟ ପାଇଁ ୨୦୧୦ରୁ ଘର ତିଆରି ଚାଲିଛି । ଠିକାଦାରଙ୍କ ମନମାନି ଓ ପ୍ରଶାସନିକ ଦୁର୍ବଳତା  କାରଣରୁ ଏଯାଏଁ ନିର୍ମାଣ ସରୁନି । ଫଳରେ ମାଟି ପିଣ୍ଡାରେ ବସି ପଢ଼ିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ । ସମସ୍ୟା ବାବଦରେ ବାରମ୍ବାର ବିଇଓଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କ ପର୍ୟ୍ୟନ୍ତ ସମସ୍ତେ ଅବଗତ ଅଛନ୍ତି । ତଥାପି କେହି କିଛି କରୁନଥିବା କହିଛନ୍ତି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ।

ଅନ୍ୟପଟେ କପ୍ତିପଦା ବିଇଓ ଦିପକ କୁମାର ମିଶ୍ର କହିଛନ୍ତି, ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ କି ସେ ଗଣମାଧ୍ୟମ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବେ ନାହିଁ ।