କନକ ବ୍ୟୁରୋ: ଏସିଆ ମହାଦେଶର ସର୍ବବୃହତ ଶାଳ ଜଙ୍ଗଲ ସରଣ୍ଡା । ଆଉ ଏହି ଜଙ୍ଗଲ ମଧ୍ୟରେ ଲୁଚିଛନ୍ତି ମାଓ ସଂଗଠନ ଛାମୁଆ ନେତା । ସେମାନଙ୍କୁ ଚାକିଆଡୁ ଘେରିଛନ୍ତି ସୁରକ୍ଷା ବାହିନୀ। ଚାଲିଛି ଗୁଳି ବିନିମୟ ।

Advertisment

ବିସ୍ଫୋରକ ଲୁଟି ବଡ ଷଡ଼ଯନ୍ତ୍ର କରିବା ମାଓବାଦୀଙ୍କ ପାଇଁ ମହଙ୍ଗା ପଡ଼ିଛି । ସରଣ୍ଡାର ଘଞ୍ଚ ଜଙ୍ଗଲ ଭିତରେ ଲୁଚିଥିବାବେଳେ ନକ୍ସଲ ନିପାତ ପାଇଁ ସର୍ଚ୍ଚ ଅପରେସନ ଜୋରଦାର ହୋଇଛି । ମିଳିତ ଅପରେସନରେ ସିଆରପିଏଫ କୋବ୍ରା ବାହିନୀ, ଡିଭିଏଫ ଯବାନଙ୍କ ସହ ଝାଡଖଣ୍ଡ ଜାଗୁଆର, ଚାଇବାସା ପୋଲିସ ଜଙ୍ଗଲ ଭିତରେ ପଶି ମାଓବାଦୀଙ୍କୁ ଖୋଜୁଛନ୍ତି । ତିର୍ଲିପୋଷି ଜଙ୍ଗଲକୁ ଚାରିପାଖରୁ ଘେରି ମାଓବାଦୀଙ୍କୁ ମୂଳପୋଛ ପାଇଁ ଅଭିଯାନ ଜାରି ରଖିଛନ୍ତି । 
ସର୍ଚ୍ଚ ଅପରେସନବେଳେ ତିର୍ଲିପୋଷ ଜଙ୍ଗଲରେ ଥିବା ମାଓ ଆଡ୍ଡାରୁ ବିପୁଳ ପରିମାଣରେ ବିସ୍ଫୋରକ ଉଦ୍ଧାର ହୋଇଛି । ମାଓବାଦୀଙ୍କ ୟୁନିଫର୍ମ ଓ ଅନ୍ୟାନ୍ୟ ନିତିଦିନିଆ ସାମଗ୍ରୀ ଜବତ କରିଛି ସୁରକ୍ଷା ବାହିନୀ । କିନ୍ତୁ ଜଙ୍ଗଲ ଭିତରେ ମାଓବାଦୀଙ୍କ ନେତୃତ୍ବ ନେଉଥିବା ଟପ୍ କମାଣ୍ଡର ମିଶିର ବେସରା, ଅନମୋଲ ମିଛୁ, ଅନୀଲ, ଆସିମ୍ ମଣ୍ଡଳ, ଚମନ୍, ଅଜୟ ମାହାତୋ, ସାଗେନ୍ ଅଙ୍ଗାରିଆ, ଅଶ୍ଵିନୀଙ୍କୁ ଲୁଚକାଳି ଖେଳୁଛନ୍ତି । ସୁଯୋଗ ଦେଖି ଖସି ଯିବାକୁ ଯୋଜନା କରୁଛନ୍ତି । କିନ୍ତୁ ସୁରକ୍ଷା ବାହିନୀ ଚାରିପଟୁ ଘେରି ରହିଥିବାରୁ ପଞ୍ଝାରୁ ମୁକୁଳି ପାରୁ ନାହାନ୍ତି ।  

ବିସ୍ଫୋରକ ଲୁଟି ନେବା ପରେ ଜଙ୍ଗଲ ଭିତରେ ବଡ଼ ଯୋଜନା କରୁଥିଲେ ମାଓବାଦୀ । ଆଡ୍ଡା ଜମାଇବା ସହ ପାଖକୁ ଯେମିତି କେହି ଆସି ପାରିବେ ନାହିଁ ସେଥିପାଇଁ ଲ୍ୟାଣ୍ଡ୍ ମାଇନ୍ ଓ ଆଇଡି ବିଛାଇଥିଲେ । କମ୍ବିଂ ବେଳେ ଜଣାପଡିବାରୁ ବେଶ ସତର୍କତା ସହ ଅପରେସନ କରୁଛି ସୁରକ୍ଷା ବାହିନୀ l