କନକ ବ୍ୟୁରୋ : ୨୪-୨୫ ବର୍ଷ ଓଡ଼ିଆ ସିନେମା ଜଗତରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି । ଗତ କିଛି ବର୍ଷର ମାନ୍ଦାବସ୍ଥା ପରେ, ଓଡ଼ିଆ ଦର୍ଶକ ପୁଣି ଥରେ ହଲ୍ମୁହାଁ ହେଉଥିବା ଦେଖିବାକୁ ମିଳିଛି, ଯାହାର ଶ୍ରେୟ ମୌଳିକ କାହାଣୀ ଓ ନୂତନ ଚିନ୍ତାଧାରାର ସିନେମାକୁ ଯାଉଛି । ତେବେ ଆୟ ଦିଗରେ କିଏ ଆଗରେ ରହିଲା ଏବଂ ପ୍ରତିଯୋଗିତାର ଏହି ଦୌଡ଼ରେ କେଉଁ ସିନେମା କେତେ ସଫଳ ହେଲା, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ବକ୍ସ ଅଫିସ୍ରେ ରେକର୍ଡ କଲା 'ବୋଉ ବୁଟୁ ଭୂତ'
ଚଳିତ ବର୍ଷ ବକ୍ସ ଅଫିସ୍ରେ ସବୁଠୁ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି ବାବୁସାନ ଫିଲ୍ମସ୍ ନିବେଦିତ ତଥା ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ଫିଲ୍ମ 'ବୋଉ ବୁଟୁ ଭୂତ' । ଏହି ଫିଲ୍ମଟି କେବଳ ଦର୍ଶକଙ୍କ ମନ ଜିତିନାହିଁ, ବରଂ ଆୟ ମାମଲାରେ ମଧ୍ୟ ଇତିହାସ ରଚିଛି । ରିଲିଜର ମାତ୍ର ୧୧ ଦିନରେ ୧୧ କୋଟି ଟଙ୍କା ଆୟ କରି ଏହା ସର୍ବାଧିକ ଆୟ କରିଥିବା ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ପରିଗଣିତ ହୋଇଛି । ଏପରିକି, ପ୍ରଥମ ଦିନରେ ୫୧.୨ ଲକ୍ଷ ଟଙ୍କା ରୋଜଗାର କରି ଏହା ମେଗାଷ୍ଟାର ଅନୁଭବ ମହାନ୍ତିଙ୍କ ସିନେମା 'କର୍ମ'ର ରେକର୍ଡ ଭାଙ୍ଗି ଦେଇଥିଲା । 'କର୍ମ' ପ୍ରଥମ ଦିନରେ ୩୭.୨୦ ଲକ୍ଷ ଟଙ୍କା ଆୟ କରିଥିଲା । ଖାଲି ଓଡ଼ିଆ ନୁହେଁ ବଲିଉଡ୍ ଜଗତକୁ ମଧ୍ୟ ଟକ୍କର୍ ଦେଇଛି ' ବୋଉ ବୁଟୁ ଭୂତ '। ହିନ୍ଦି ଚ୍ଚଳଚିତ୍ର ଛାୱାକୁ ମଧ୍ୟ ଟକ୍କର୍ ଦେଇଛି ଏହି ଫିଲ୍ମ ।
ପ୍ରତିଯୋଗିତାର ଦୌଡ଼ରେ ଅନ୍ୟ ସିନେମା
ବ୍ୟାସ କବି ଫକୀରମୋହନଙ୍କ ଉପନ୍ୟାସରୁ ଆସିଥିବା ' ଅନନ୍ତା ' , ଓଡ଼ିଆ ଜାତିର ସାଆନ୍ତଙ୍କୁ ନେଇ ' ନବକଳେବର ' ଏବଂ ' ବାପା ସୁପରମ୍ୟାନ୍ ' ମଧ୍ୟ ବେଶ୍ ଲୋକପ୍ରିୟତା ସାଉଁଟିଛି । ୨୦୨୪ରେ ଅନ୍ୟ କେତେକ ସିନେମା ମଧ୍ୟ ଦର୍ଶକୀୟ ଆଦୃତି ସାଉଁଟିବା ସହ ଭଲ ବ୍ୟବସାୟ କରିଛି । ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ କମ୍ବ୍ୟାକ୍ ଫିଲ୍ମ 'କୁହୁଡ଼ି' ଏକ ସତ୍ୟ ଘଟଣା ଉପରେ ଆଧାରିତ ସସପେନ୍ସ ଥ୍ରୀଲର ଥିଲା, ଯାହା ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା । ଏହାପରେ ତାଙ୍କର ମଲ୍ଟିଷ୍ଟାରର୍ ସିନେମା 'କର୍ମ' ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଥିଲା , ଯାହା ଓଡ଼ିଆ ସିନେମାକୁ ଏକ ନୂଆ ଦିଶା ଦେଖାଇଛି ।
ରଜ ବଜାରରେ ମୁକ୍ତିଲାଭ କରିଥିବା ବାବୁସାନଙ୍କ ଅଭିନୀତ 'ପାୱାର' ମଧ୍ୟ ଦର୍ଶକଙ୍କ ମନ ଛୁଇଁଥିଲା । ରାଜନୈତିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ଗୀତଗୁଡ଼ିକ, ବିଶେଷକରି 'ନାଲି ଶାଢ଼ୀ' ଓ 'ଲାଲ୍ ଟହ ଟହ', ବେଶ୍ ଲୋକପ୍ରିୟ ହୋଇଥିଲା । ବର୍ଷ ଶେଷରେ ରିଲିଜ୍ ହୋଇଥିବା 'ପରବ' ଏକ ନିଆରା କାହାଣୀ ପାଇଁ ପ୍ରଶଂସିତ ହୋଇଥିଲା, ଯାହା ଦୁଇ ରାଜ୍ୟର ସୀମା ବିବାଦ ଉପରେ ପର୍ଯ୍ୟବେସିତ ଥିଲା ଏବଂ ଏହାକୁ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଥିଲା ।
ଓଡ଼ିଆ ସିନେମାର ନବକଳେବର ଓ ଆହ୍ୱାନ
ଗତ ପ୍ରାୟ ଦୁଇ ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ନବଜାଗରଣ ଦେଖାଦେଇଛି । 'ଦମନ' ଭଳି ସିନେମାର ସଫଳତା ପରେ ନିର୍ମାତା ଓ ନିର୍ଦ୍ଦେଶକମାନେ ଓଡ଼ିଶାର ମାଟି, ପାଣି, ପବନର କାହାଣୀକୁ ପରଦାକୁ ଆଣିବାକୁ ଆଗ୍ରହ ଦେଖାଉଛନ୍ତି । ଏହି ଧାରାକୁ 'ପ୍ରତୀକ୍ଷା' ଭଳି ଜାତୀୟ ପୁରସ୍କାରପ୍ରାପ୍ତ ସିନେମା ଆହୁରି ଆଗକୁ ନେଇଛି ।
ତେବେ ସଫଳତାର ଏହି ନୂଆ ଇନିଂସ୍ ସତ୍ତ୍ୱେ ଓଡ଼ିଆ ସିନେମା ପାଇଁ ଆହ୍ୱାନ କମ୍ ନୁହେଁ । ହିନ୍ଦୀ ଏବଂ ଦକ୍ଷିଣ ଭାରତୀୟ ସିନେମା ସହ ସ୍କ୍ରିନ୍ ପାଇଁ ପ୍ରତିଯୋଗିତା ଏକ ବଡ଼ ସମସ୍ୟା ହୋଇ ରହିଛି । ପାର୍ବଣ ସମୟରେ ବଡ଼ ବଜେଟର ବାହାର ଫିଲ୍ମଗୁଡ଼ିକ ଅଧିକାଂଶ ସିନେମା ହଲ୍ ପାଇଯାଉଥିବାରୁ, ଭଲ ବ୍ୟବସାୟ କରୁଥିବା ଓଡ଼ିଆ ସିନେମାକୁ ମଧ୍ୟ ହଲ୍ରୁ ହଟାଇ ଦିଆଯାଉଥିବା ଅଭିଯୋଗ ହୁଏ ।
ଏହିସବୁ ପ୍ରତିବନ୍ଧକ ସତ୍ତ୍ୱେ, 'ବୋଉ ବୁଟୁ ଭୂତ'ର ଐତିହାସିକ ଆୟ ଏବଂ ଅନ୍ୟ ସିନେମାଗୁଡ଼ିକର ସକାରାତ୍ମକ ପ୍ରଦର୍ଶନ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଆଶାର କିରଣ ସୃଷ୍ଟି କରିଛି, ଯାହା ଆଗାମୀ ଦିନରେ ଆହୁରି ଭଲ ସିନେମା ନିର୍ମାଣ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି ।