କନକ ବ୍ୟୁରୋ:  ୨୦ ବର୍ଷ ପରେ ଟାଣିଲା ରକ୍ତ । ସ୍ପେନ୍‌ରୁ ଭୁବନେଶ୍ବର ଧାଇଁ ଆସିଛନ୍ତି ଝିଅ । ୨୦୦୪ ମସିହାର ଘଟଣା । ବାପା-ମା’ଙ୍କର ୪ ଛୁଆ । ୨୦ ବର୍ଷ ତଳେ ହଠାତ ବାପା କୁଆଡ଼େ ଚାଲିଗଲେ । କିଛି ଦିନ ପରେ ମା’ ମଧ୍ୟ ବଡ଼ ପୁଅ ଓ ଝିଅକୁ ଧରି କେଉଁଆଡ଼େ ଚାଲିଗଲେ। ଦୁଇବର୍ଷର କୁନିଝିଅ ଓ ୯ ମାସର କଅଁଳ ଶିଶୁ ଏକୁଟିଆ ପଡ଼ିଗଲେ । ଘର ମାଲିକ ପୁଲିସକୁ ଜିମା ଦେବା ପରେ ଚାଇଲ୍ଡ ଲାଇନରେ ଉଭୟଙ୍କୁ ଛଡ଼ାଯାଇଥିଲା । ସେଠାରୁ ସ୍ପେନୀୟ ଦମ୍ପତି ଉଭୟ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ।

Advertisment

ଓଡ଼ିଆରେ ହିଁ ଝିଅର ନ‌ାଁ ରଖି‌ଲେ ସ୍ନେହା । ପିଜି ସାରି ଚଳଚ୍ଚିତ୍ର ପାଠ୍ୟକ୍ରମ ଉପରେ ଅଧ୍ୟୟନ କରିବା ସହ ଶିଶୁଶିକ୍ଷା ଉପରେ ଗବେଷଣା କରୁଛି। ଭାଇ ସୋମ୍‌ ମଧ୍ୟ ପିଜି କଲାଣି । ଏହା ଭିତରେ ସ୍ପେନ୍‌ ଦମ୍ପତିଙ୍କଠାରୁ ସେମାନେ ଶୁଣିଛନ୍ତି ସେମାନଙ୍କ ବାପାମାଙ୍କ କଥା । ସ୍ନେହା ମନରେ ଜନ୍ମିଛି ଉତ୍କଣ୍ଠା ।

କ’ଣ ପାଇଁ ବାପାମା ସେମାନଙ୍କୁ ଅନାଥ କରିଦେଲେ? ମନରେ ରାଗ, କ୍ଷୋଭ କି ଅଭିମାନ ନାହିଁ । କିନ୍ତୁ ରହିଛି ରକ୍ତର ଦୁର୍ବାର ଆକର୍ଷଣ। ୨୦ ବର୍ଷ ପରେ ରକ୍ତ ଡାକିଛି । ତେଣୁ ବାପାମାଙ୍କୁ ଖୋଜିଖୋଜି ସେ ପହଞ୍ଚିଛି ଭୁବନେଶ୍ବରରେ । ବେଶ୍‌ ଯତ୍ନରେ ଲାଳନପାଳନ କରିଥିବା ସ୍ପେନୀୟ ମା ଜେମା ମଧ୍ୟ ଆସିଛନ୍ତି ସାଙ୍ଗରେ ।