କନକ ବ୍ୟୁରୋ: ବନ୍ଧୁ ହେବାର ଛଳନା କଲେ, ଆଉ ଟଙ୍କା ପାଇଁ ହତ୍ୟା କଲେ। ବାରିପଦାରେ ବୁଢ଼ାବଳଙ୍ଗ ନଦୀପଠାରୁ ଗଳିତ ମୃତଦେହ ଉଦ୍ଧାର ଘଟଣାରେ, ଯେଉଁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି, ତାହା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରଥମେ ଅପହରଣ, ପରେ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରି ପରିବାର ଲୋକଙ୍କୁ ଧମକ। ଆଉ ତାପରେ ହତ୍ୟା। ତିନି ଅଭିଯୁକ୍ତ ଧରାପଡ଼ିବା ପରେ ଜଘନ୍ୟକାଣ୍ଡ ଉପରୁ ପରଦା ହଟିଛି।
ବାରିପଦା ସଦର ଥାନା ଗୁମୁଡ଼ିହି ବୁଢ଼ାବଳଙ୍ଗ ନଦୀ ପଠାରୁ ଅଚିହ୍ନା ଗଳିତ ମୃତଦେହ ଉଦ୍ଧାର ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଟଙ୍କା ପାଇଁ ହିଁ ବନ୍ଧୁତ୍ବକୁ ବଳି ଦେଇ ୩ ସାଙ୍ଗ ସାଜିଲେ ହତ୍ୟାକାରୀ। ମୃତକ କେନ୍ଦ୍ରାପଡା ମାର୍ଶାଘାଇ ଥାନା ହିନ୍ଦୁଲିଆ ଗାଁର ଚନ୍ଦନ ସ୍ୱାଇଁ। ୩ ସାଙ୍ଗ ମିଶି ଚନ୍ଦନଙ୍କୁ ହତ୍ୟା କରିବା ପରେ ନଦୀ ପଠାରେ ଲୁଣ ଦେଇ ମୃତଦେହକୁ ପୋତି ଦେଇଥିଲେ । ୩ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରି ପଚରାଉଚରା କରିବା ପରେ ଜଘନ୍ୟକାଣ୍ଡର ପର୍ଦ୍ଦାଫାସ ହୋଇଛି।
- ବନ୍ଧୁ ସାଜିଲା ବଇରୀ
- ସାଙ୍ଗ ନେଇଗଲା ସାଙ୍ଗର ଜୀବନ
- ଟଙ୍କା ଆଗରେ ଫିକା ପଡ଼ିଗଲା ସମ୍ପର୍କ
ତିନି ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରାଇଛି ପୋଲିସ୍। ଚନ୍ଦନ ସ୍ବାଇଁ ତିନି ବର୍ଷ ହେଲା ବାଙ୍ଗାଲୋରରେ ରହି ଦାଦାଙ୍କ ପାଖରେ ଠିକାଦାର ଭାବରେ କାମ କରୁଥିଲା। ୩ ଅଭିଯୁକ୍ତ ମଧ୍ୟ ଚନ୍ଦନ ସହିତ କାମ କରୁଥିଲେ। ଚନ୍ଦନ ବାଙ୍ଗାଲୋରରୁ ଘରକୁ ଆସିଥିବା ବେଳେ ତାଙ୍କୁ ଅପହରଣ କରିନେଇଥିଲେ ଏହି ତିନି ଜଣ । କୌଶଳକ୍ରମେ ତାଙ୍କୁ ବାରିପଦା ନେଇଯାଇଥିଲେ। ପରେ ଭୁବନେଶ୍ବରରେ ରହୁଥିବା ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରଥିଲେ । ଏହେଉଛି ସେହି ହ୍ବାଟସ୍ ଅପ୍ ଚାଟ୍। ଯେଉଁଥିରେ ଚନ୍ଦନଙ୍କ ଘର ଲୋକଙ୍କୁ ହତ୍ୟାକାରୀମାନେ ଟଙ୍କା ମାଗିଥିଲେ।
ଚନ୍ଦନଙ୍କ ଘର ଲୋକ ଏନେଇ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ। ଗୁରବାର ଚନ୍ଦନଙ୍କ ଦାଦା ବଂଶୀଧର ଅଭିଯୁକ୍ତମାନଙ୍କୁ ଟଙ୍କା ନେବା ପାଇଁ ଭୁବନେଶ୍ୱର ରେଳଟେସନକୁ ଡାକି ଥିଲେ। ଆଉ ଟଙ୍କା ନେବା ପାଇଁ ପହଞ୍ଚିବା ପରେ ସେମାନଙ୍କୁ ପୋଲିସ ମାଡ଼ିବସିଥିଲା। ଚନ୍ଦନଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି ତିନି ଅଭିଯୁକ୍ତ। ସେପଟେ ଚନ୍ଦନଙ୍କ ଘରେ ଏବେ କାନ୍ଦବୋବାଳି ପଡ଼ିଛି। ପୁଅ ଯେ ଆଉ ଫେରିବନି, ପରିବାର ଲୋକଙ୍କର ବିଶ୍ବାସ ହେଉନି। ବିଶ୍ବାସରେ ବିଷ ଦେଇ ସାଙ୍ଗ ହିଁ ସାଙ୍ଗକୁ ହତ୍ୟା କରିବାର ଏହି ଖବର ଏବେ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।