କନକବ୍ୟୁରୋ : ଜାଲିଆତି କରି ବ୍ୟାଙ୍କରୁ ଋଣ ନେବା ଓ ବେଆଇନ ଭାବେ ବନ୍ଧକ ସମ୍ପତ୍ତି ବିକ୍ରି ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ମହିଳାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିବା ସହିତ ନିଆରା ସର୍ତ୍ତ କରିଛନ୍ତି ।  ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ମହିଳା କଟକ ଲିଙ୍କ୍‌ ରୋଡ୍‌ ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖା ପରିସରକୁ ଦୁଇ ମାସ ସଫେଇ କରିବେ ।  ସକାଳ ୮ଟାରୁ ୧୦ଟା ଭିତରେ ଆବେଦନକାରୀ ବ୍ୟାଙ୍କ ପରିସର ସଫେଇ କାର୍ଯ୍ୟ କରିବେ  । ଏଥିପାଇଁ ଆଇସିଆଇସିଆଇ ବ୍ୟାଙ୍କକୁ ଆବେଦନକାରୀ ଅନୁରୋଧ କରିବେ । ଜାମିନରେ ଥିବାବେଳେ ଆବେଦନକାରୀ କୌଣସି ଆପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ ।

Advertisment

ସାକ୍ଷ୍ୟପ୍ରମାଣକୁ ପ୍ରଭାବିତ କରିବା ଭଳି ଆବେଦନକାରୀ କୌଣସି କାର୍ଯ୍ୟ କରିବେ ନାହିଁ  । ଏଥି ସହିତ ନିମ୍ନ ଅଦାଲତ ମଧ୍ୟ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଡକ୍ଟର ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି  । 

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଓ ଅନ୍ୟ ଜଣେ ବ୍ୟକ୍ତି କେତେକ ଆବାସିକ ସମ୍ପତ୍ତି ବନ୍ଧକ ଦେଇ ବ୍ୟାଙ୍କରୁ ଋଣ ନେଇଥିଲେ ।  ଦ୍ବିତୀୟ ବ୍ୟକ୍ତି ଜଣକ ଏଥିରୁ ଗୋଟିଏ ସମ୍ପତ୍ତିକୁ ଜଣଙ୍କୁ ବିକ୍ରି କରିଥିଲେ । ପରବର୍ତ୍ତୀ ସମୟରେ ଏହି ସମ୍ପତ୍ତି ଅନ୍ୟ ଏକ ବ୍ୟାଙ୍କରେ ବନ୍ଧକ ଦିଆଯାଇଥିବା ଜଣାପଡ଼ିଥିଲା ।  କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିଲା ।  ଅଭିଯୁକ୍ତଙ୍କୁ ଫେବ୍ରୁଆରି ୫ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା  । ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ  ।