କନକ ବ୍ୟୁରୋ: ଆପଣମାନେ ସମସ୍ତେ ବିମାନରେ କେବେ ନା କେବେ ଯାତ୍ରା କରିଥିବେ । ବିମାନ ନିର୍ଦ୍ଧାରିତ ସମୟରେ ଉଡ଼ାଣ ଭରିବା ସହିତ ଠିକ୍‌ ସମୟରେ ଲ୍ୟାଣ୍ଡିଂ ବି କରେ । ସେଇଥି ଲାଗି ଅନେକ ଯାତ୍ରୀ ଯାତ୍ରା କରିବାକୁ ବିମାନକୁ ହିଁ ପସନ୍ଦ କରନ୍ତି । କିନ୍ତୁ ପ୍ଲେନକୁ ନେଇ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହାକୁ ନେଇ ଭାରି ଚର୍ଚ୍ଚା ବଢିଛି । କାରଣ ଗୋଟିଏ ପ୍ଲେନ୍‌ ୨୦୨୫ରେ ଉଡ଼ାଣ ଭରିବା ପରେ ୨୦୨୪ରେ ଲ୍ୟାଣ୍ଡିଂ କରିଥିଲା । ହେଲେ ଏହା କେମିତି ସମ୍ଭବ ହେଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି  ।

Advertisment

କ୍ୟାଥେ ପେସିଫିକ୍‌ ଫ୍ଲାଇଟ୍‌କୁ ନେଇ ବଢିଲା ଚର୍ଚ୍ଚା

ଲ୍ୟାଣ୍ଡିଂ ବେଳେ ବଦଳିଗଲା ସମୟ

କ୍ୟାଥେ ପେସିଫିକ୍‌ ଫ୍ଲାଇଟ୍‌ ୧ ଜାନୁଆରୀରେ ଚୀନର ହଙ୍କକଙ୍ଗ ସହରରୁ ଉଡ଼ାଣ ଭରିଥିଲା । ଗସ୍ତସୂଚୀ ଅନୁସାରେ ଲସ୍‌ ଆଞ୍ଜେଲସ୍‌ ସହରରେ ଲ୍ୟାଣ୍ଡିଂ କରିବାର ଥିଲା । ହେଲେ ଲ୍ୟାଣ୍ଡିଂ ସମୟ ଥିଲା ୩୧ ଡିସେମ୍ୱର ୨୦୨୪ । ହଠାତ୍‌ ଯେବେ ଯାତ୍ରୀମାନେ ଏହା ଦେଖିଥିଲେ ସେମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଭାବିଥିଲେ ଏମିତି କେମିତି ସମ୍ଭବ ହୋଇଥିଲା । କୁହାଯାଉଛି କି, ଇଣ୍ଟରନାସନାଲ ଡେଟ୍‌ ଟାଇମ୍‌ ପାଇଁ ଏମିତି ଘଟଣା ଘଟିଥିଲା ।

ଇଣ୍ଟରନାସନାଲ ଡେଟ୍‌ ଲାଇନ୍ କଣ ?

ଅନେକ ଜାଣନ୍ତି ନାହିଁ ଇଣ୍ଟରନାସନାଲ ଡେଟ୍‌ ଲାଇନ୍‌ର ଅର୍ଥ କଣ ?  ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଅନ୍ତର୍ଜାତୀୟ ତାରିଖ ରେଖା ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ରେଖା । ଏହି ରେଖା ଦେଇ ଯେଉଁ ବିମାନ ଯାତ୍ରା କରେ ସେଥିରେ ସମୟରେ ପରିବର୍ତ୍ତନ ଦେଖାଯାଏ । ଏହାଏକ ସାଧାରଣ ପ୍ରକ୍ରିୟା । ରେଖାରୁ ଯଦି ବିମାନ ପଶ୍ଚିମ ଦିଗକୁ ଗତିକରେ ତେବେ ତାରିଖ ଗୋଟିଏ ଦିନ ବଢିଯାଉଥିବା ବେଳେ ପୂର୍ବ ଦିଗକୁ ଗଲେ ଗୋଟିଏ ଦିନ କମିଯାଏ । ଧରିନିଅନ୍ତୁ, ଗୋଟିଏ ବିମାନ ହଙ୍ଗକଙ୍ଗରୁ ଉଡ଼ାଣ ଭରିଲା । ଆଉ ସେହି ବିମାନଟି ଇଣ୍ଟରନାସନାଲ ଡେଟ୍‌ ଲାଇନ୍‌କୁ ଅତିକ୍ରମ କରି ଲସ ଆଞ୍ଜେଲସରେ ପହଞ୍ଚିଗଲା । ଏମିତି ସ୍ଥିତିରେ ସମୟ ଗୋଟିଏ ଦିନ ପୂର୍ବକୁ ପଳାଇଯିବ । ଯାହା ଏହି ବିମାନ ସହ ହୋଇଛି ।

୨ ଥର ନୂଆବର୍ଷ ସେଲିବ୍ରେସନ କଲେ ଯାତ୍ରୀ

ପ୍ରଥମେ ଯେଉଁମାନେ ହଙ୍କକଙ୍ଗରୁ ଯାତ୍ରା ଆରମ୍ଭ କରିଥିଲେ ସେମାନେ ନୂଆବର୍ଷ ପାଳନ କରି ଯାଇଥିଲେ । ଯେହେତୁ ଇଣ୍ଟରନାସନାଲ ଡେଟ୍‌ ଲାଇନ୍‌ ଦେଇ ପ୍ଲେନ ଉଡ଼ାଣ ଭରିଥିଲା ତେଣୁ ସମୟ ବଦଳି ଯାଇଥିଲା ଏବଂ ଯାତ୍ରୀମାନେ ଦୁଇଥର ନୂଆବର୍ଷ ସେଲିବ୍ରେସନ କରିବାର ସୁଯୋଗ ପାଇଥିଲେ । ଅନେକ ସମୟରେ ଆମେ ମୋବାଇଲ୍‌ରେ ଯଦି ଇଣ୍ଟରନାସନାଲ ଟାଇମ୍‌ ଦେଖନ୍ତି ତାହାଲେ ଦେଶର ଅନୁସାରେ ସମୟ ବି ବଦଳିଯାଉଥିବା ନଜର ଆସେ । ଏମିତିକି ଭାରତରେ ଯେବେ ଦିନ ହୋଇଥାଏ ଠିକ୍‌ ସେହି ସମୟରେ ଆମେରିକାରେ ରାତି ହୋଇଥାଏ । ଏମିତିକି ଭାରତ ଓ ପାକିସ୍ତାନ ସମୟରେ ବି ସାମାନ୍ୟ ପରିବର୍ତ୍ତନ ଦେଖାଯାଏ । ହେଲେ ଇଣ୍ଟରନାସନାଲ ଡେଟ୍‌ ଲାଇନ୍‌ରେ ଦିନ ପଛୁଆ ପଳାଇ ଯାଇଥିବାରୁ ଏବେ ଚର୍ଚ୍ଚା ଜୋର ଧରିଛି ।