କନକ ବ୍ୟୁରୋ : ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ କରୁନି ବୁର୍ଲା ଭିମସାର । ନିୟମ ଉଲ୍ଲଂଘନ ପାଇଁ ଜରିମାନା କରିଛି ସିପିସିବି ।  ଦିନକୁ ୩ ହଜାର ଟଙ୍କା ହିସାବରେ ୧୧ ଲକ୍ଷ ୨୨ ହଜାର ଟଙ୍କା ଜୋରିମାନା କରାଯାଇଛି  । ୧୫ ଦିନ ମଧ୍ୟରେ ଅର୍ଥରାଶି ଜମା କରିବାକୁ ନିର୍ଦ୍ଦେଶ ରହିଛି । ନଚେତ୍ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।

Advertisment

 ଅଗଷ୍ଟ ୨୯, ୨୦୨୩ରେ ଭିମସାରରେ ବର୍ଜ୍ୟବସ୍ତୁ ପରିଚାଳନା ଯାଞ୍ଚ କରିଥିଲେ ସିପିସିବି ଟିମ୍ । ପୁରା ପରିବେଶକୁ ଦେଖିବା ପରେ ଗତ ଏପ୍ରିଲ ୫ରେ ପରିବେଶ ସୁରକ୍ଷା ଆକ୍ଟ-୧୯୮୬ର ସେକ୍ସନ-୫ ଆଧାରରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ।  ବାୟୋମେଡିକାଲ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ମାନଦଣ୍ଡ ପୂରଣରେ ବିଫଳ ବୋଲି ଟିମ୍ କହିଥିଲେ ।  କାରଣ ଦର୍ଶାଅ ନୋଟିସର ଜବାବ ରଖିଥିଲେ ଭିମସାର କର୍ତ୍ତୃପକ୍ଷ ।  ସମସ୍ୟା ସମାଧାନ ପାଇଁ ଦୁଇ ସପ୍ତାହ ସମୟ ମାଗିଥିଲେ। ଏହାପରେ ସିପିସିବି ପକ୍ଷରୁ ସମୟ ନିର୍ଦ୍ଧାରିତ କାର୍ୟ୍ୟ ଖସଡ଼ା ଏବଂ ଆକ୍ସନ ଟେକେନ୍ ରିପୋର୍ଟ ସମର୍ଥିତ କାଗଜାତ ଓ ଫଟୋ ୧୫ ଦିନ ମଧ୍ୟରେ ଜମା କରିବାକୁ ନିର୍ଦେଶ ହୋଇଥିଲା ।  ଭିମସାର ପକ୍ଷରୁ ଏହାର କୌଣସି ଜବାବ ନମିଳିବାରୁ ଜରିମାନା କରାଯାଇଛି ।

ସରକାରୀ ସଂସ୍ଥା ତଥା ଜରୁରୀସେବା ପ୍ରଦାନକାରୀ ସଂସ୍ଥା ଭିମସାର ନିୟମ ଭାଙ୍ଗିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି ।