କନକ ବ୍ୟୁରୋ: ଘନଉଛି ଯୁଦ୍ଧ ଆଶଙ୍କା । ଏପଟେ ଟେନସନ୍ରେ ପାକିସ୍ତାନ । ସେପଟେ ଆତଙ୍କବାଦକୁ ସଫା କରିବାକୁ ଆକ୍ସନମୋଡ୍ରେ ଭାରତ। ଗତକାଲି ନୌସେନାର ସମରାଭ୍ୟାସ ପରେ ଆଜି ନେପାଳ ଓ ଚୀନ୍ ସୀମାରେ ଯୁଦ୍ଧାଭ୍ୟାସ କରିଛି ଭାରତୀୟ ବାୟୁସେନା ।
ଧୁ ଧୁ ଖରାରେ ଦୁମ୍ ଦୁମ୍ ଗର୍ଜନ । ଆକାଶ ଚିରି ଉଡ଼ିଲା ଲଢ଼ୁଆ ବିମାନ। ବିଜୁଳି ବେଗରେ ଗତି, ଚିରିଦେବେ ଶତ୍ରୁର ଛାତି। ଯେତେବେଳେ ଭାରତ-ପାକ୍ ଭିତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ସେତେବେଳେ ୟୁପି ଶାହାଜାନ୍ପୁର ଗଙ୍ଗା ଏକ୍ସପ୍ରେସ୍ରେ ଟଚ୍ ଆଣ୍ଡ ଡାଉନ୍ ସମରାଭ୍ୟାସ କରିଛି ଭାରତୀୟ ବାୟୁସେନା । ପାକିସ୍ତାନ ଭୂଇଁରେ ଛିଡ଼ା ହୋଇଥିବା ଆତଙ୍କବାଦୀ ବି ଆଜି ଦେଖିଥିବେ, ଭାରତର ମିରାଜ, ସୁଖୋଇ, ରାଫେଲ୍ ଓ ଜାଗୁଆର ଦେଖିବାକୁ କେମିତି ଆଉ କ’ଣ କରିପାରିବେ? ଖାସ୍ ସେଥିପାଇଁ ଗଙ୍ଗା ଏକ୍ସପ୍ରେସ୍ ୱେକୁ ଖାଲି ରନ୍ୱେ ନୁହେଁ ବରଂ ରନ୍ ୱେ କରିଥିଲା ଭାରତୀୟ ବାୟୁସେନା । ଆଉ ଶତ୍ରୁକୁ ଯେ ଛିନଛତ୍ର କରିବାର କ୍ଷମତା ରଖିଛି ଭାରତ; ତା’ର ଠୋ ଠୋ ପ୍ରମାଣ ଦେଖିଛି ସାରା ବିଶ୍ବ ।
ଗଙ୍ଗା ଏକ୍ସପ୍ରେସ୍ ୱେର ଲମ୍ବ ୫୯୪. ୫ କିଲୋମିଟର । ଏଥିପାଇଁ ଖର୍ଚ୍ଚ ହୋଇଛି ୩୬, ୨୩୦ କୋଟି ଟଙ୍କା । ରାତିରେ ବିମାନ ଅବତରଣ କରି ପାରୁଥିବା ଏହା ଦେଶର ପ୍ରଥମ ଏକ୍ସପ୍ରେସ୍ ୱେ । ନେପାଳ ଓ ଚୀନ୍ ସୀମା ହୋଇଥିବାରୁ ଶାହାଜାନପୁର ଷ୍ଟ୍ରାଟେଜିକ୍ ଲୋକେସନ୍ ବି ହୋଇପାରିବ । ତେଣୁ ଏହା ଉପରୁ ଆଜି ଉଡ଼ିଛି ଗୋଟିଏ ପରେ ଗୋଟିଏ ଯୁଦ୍ଧ ବିମାନ । ଯୁଦ୍ଧ ସ୍ଥିତି ସୃଷ୍ଟି ହେଲେ ବିକଳ୍ପ ବିମାନବନ୍ଦର, ଜରୁରିକାଳୀନ ଉଡ଼ାଣ ଓ ଅବତରଣ କିପରି ହୁଏ, ତାହାର ଅଭ୍ୟାସ ଦେଖାଇଛି ବାୟୁସେନା । ରାଫେଲ୍, ସୁଖୋଇ-୩୦ ଏମ୍କେଆଇ, ମିରାଜ୍-୨୦୦୦, ମିଗ୍-୨୯, ଜାଗୁଆର ଭଳି ଯୁଦ୍ଧ ବିମାନ ସହ ସି-୧୩୦ଜେ ସୁପର ହରକ୍ୟୁଲେସ୍, ଏଏନ୍-୩୨ ଟ୍ରାନ୍ସପୋର୍ଟ ବିମାନ ଓ ଏମ୍ଆଇ-୧୭ ଭଳି ହେଲିକପ୍ଟର ବି ସମରାଭ୍ୟାସରେ ସାମିଲ ଥିଲେ । ଯୁଦ୍ଧ ବେଳେ ରେସ୍କ୍ୟୁଠାରୁ ସ୍ପେଶାଲ୍ ଅପରେସନ୍ରେ ଏସବୁ ବ୍ୟବହାର କରାଯାଇପାରିବ ।
ସେପଟେ ଆରବ ସାଗରରେ ଯୁଦ୍ଧାଭ୍ୟାସ କରିଛି ଭାରତୀୟ ନୌସେନା । ତଗଡ଼ା ଆକ୍ସନ ଦେଖାଇ ତୟାର ଥିବା ବାର୍ତ୍ତା ମିଳିଛି ସମୁଦ୍ର ମଝିରୁ । ଏବେ ବାୟୁସେନା ବି ଦେଖାଇଲା ଦମ୍ । ଆଗକୁ ସ୍ଥଳସେନାର ସମୟ । ଗୋଟିଏ ପଟେ ପହଲଗାମ୍ ଆକ୍ରମଣର ଆତଙ୍କୀଙ୍କୁ ପାତାଳରୁ ଖୋଜି ମାରିବାକୁ ଆହ୍ବାନ ଦେଇଛନ୍ତି ମୋଦୀ । ଆଉ ଗୋଟିଏ ପଟେ ଏ ସମରାଭ୍ୟାସ ସେନାର ହୁଙ୍କାର ସାମ୍ନାକୁ ଆଣିଛି । ଲାଗୁଛି ଖୁବଶୀଘ୍ର କିଛି ତ ହେବ, ନିଶ୍ଚୟ ହେବ ।