କନକ ବ୍ୟୁରୋ : ନ୍ୟାୟ ମାଗିବାରୁ ପରିବାରକୁ ସାମାଜିକ ବାସନ୍ଦ । ନିଆଁ ପାଣି ବନ୍ଦ ସହିତ ଗାଁ ହାଟ ବଜାରରୁ କିଣାକିଣି ମନା । ସ୍ବାଧୀନତାର ୭ ଦଶନ୍ଧି ବିତିବାକୁ ବସିଲାଣି ତଥାପି ଲୋକଙ୍କ ମନରୁ ଇଂରେଜ ଶାସନ ମାନସିକତା ଯାଇନାହିଁ । ଲୋକଙ୍କୁ ସ୍ବାଧୀନ ଭାବେ ଜୀବନ ଜିଇଁବାକୁ ଅନୁମତି ନାହିଁ । ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବେଣାପୁରା ଗାଁରେ ।
ସାମାଜିକ ବାସନ୍ଦ ଜୀବନ ଅତି କଷ୍ଟକର । ଗାଁ କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁସାରେ ଏଭଳି ଦଣ୍ଡ ଭୋଗୁଛନ୍ତି ବସ୍ତା ବ୍ଲକ ଅନ୍ତର୍ଗତ ବେଣାପୁରା ଗାଁର ଲକ୍ଷ୍ମୀକାନ୍ତ ଦାସଙ୍କ ପରିବାର । ଅଭିଯୋଗ ଅନୁସାରେ, ଲକ୍ଷ୍ମୀକାନ୍ତଙ୍କ ପୈତୃକ ସମ୍ପତ୍ତିକୁ ତାଙ୍କ ଦାଦା ବିକ୍ରି କରି ଦେଇଛନ୍ତି। ସେ ତାକୁ ବିରୋଧ କରିବାରୁ ଗାଳି ଗୁଲଜ କରିଥିଲେ ଦାଦା ଭାନୁଚରଣ ଦାସ। ଘଟଣା ସମ୍ପର୍କରେ ଗାଁ ମୁଖିଆଙ୍କୁ ଜଣାଇଥିଲେ ଲକ୍ଷ୍ମୀକାନ୍ତ । ଗାଁ କମିଟି ଗୁହାରି ଶୁଣିବା ବଦଳରେ ଓଲଟା ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହୋଇଛି ।
ବେଣାପୁରା ଗାଁରେ ବାପା ଅଜା ଅମଳର ଜାଗା ରହିଛି । ଲକ୍ଷ୍ମୀକାନ୍ତଙ୍କ ଦାଦା ଭାନୁ ଚରଣ ଦାସ ସେହି ଜାଗାକୁ ଅନ୍ୟ ଜଣଙ୍କୁ ବିକି ଦେଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ସେଠାରେ ଘର କରୁଥିବାରୁ ବିରୋଧ କରିଥିଲେ ଲକ୍ଷ୍ମୀକାନ୍ତ । ତା'କୁ ନେଇ ଦାଦା-ପୁତୁରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏନେଇ ସେ ଗାଁ କମିଟି, ପୁଲିସ, ପ୍ରଶାସନ ଏବଂ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି । ସେପଟେ ଗାଁ ମୁଖିଆ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।