କନକ ବ୍ୟୁରୋ: ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ନା ଅଛି ସ୍କୁଲ ଘର ନା ପଢାଇବାକୁ ଅଛନ୍ତି ଆବଶ୍ୟକ ଶିକ୍ଷକ । ଏହିଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ଼ ସାମନ୍ତରାପାଲି ବିଦ୍ୟାଳୟରେ । ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୬୬ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ମାତ୍ର ଶିକ୍ଷାଦାନ ପାଇଁ ବିଦ୍ୟାଳୟରେ ରହିଛି ଅନେକ ସମସ୍ୟା ।
ବିଦ୍ୟାଳୟରେ ମୋଟ ୫ ଗୋଟି ଶ୍ରେଣୀ କୋଠରୀ ରହିଥିଲେ ମଧ୍ୟ ଦୁଇଟି ଶ୍ରେଣୀର ଛାତରୁ ବର୍ଷାପାଣି ଗଳୁଛି । ଅନ୍ୟ ଏକ କୋଠରୀରେ ସ୍କୁଲ କାର୍ଯ୍ୟାଳୟ ରହିଥିବାବେଳେ ପାଣି ଗଳି ବିଭିନ୍ନ କାଗଜ ପତ୍ର ନଷ୍ଟ ହେବାରେ ଲାଗିଛି । ତେବେ ବିଦ୍ୟାଳୟରେ ଥିବା ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ପିଲା ବଢୁଥିବା ବେଳେ ବଳକା ପିଲା ପଢୁଛନ୍ତି ବାରଣ୍ଡାରେ ।
ଅନ୍ୟ ଦିନ ତ ଦୂର କଥା ବର୍ଷା ସମୟରେ ଛାତ୍ର ଛାତ୍ରୀମାନେ ଖୋଲା ବାରଣ୍ଡାରେ ବସି ପଢିବା ବି ମୁସ୍କିଲ ହୋଇପଡୁଛି । ୨୦୨୨ରେ ବିଦ୍ୟାଳୟ ମରାମତି କରାଯାଇଥିଲା । ହେଲେ ଏବେ ବି ବିଦ୍ୟାଳୟ ସ୍ଥିତି ପୂର୍ବବତ୍ ରହିଛି । । ବିଦ୍ୟାଳୟ କୁ ବିଭିନ୍ନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ,ବ୍ଲକ ଶିକ୍ଷାଅଧିକାରୀ ଗସ୍ତ କରୁଛନ୍ତି । ସମସ୍ୟା ନେଇ ବହୁବାର ଜଣାଯାଇଛି। ହେଲେ କୌଣସି ସମାଧାନ ହୋଇନି । କେବଳ ପ୍ରତିଶ୍ରୁତିରେ ସରିଯାଇଛି କାମ । ବିଦ୍ୟାଳୟ ସମସ୍ୟା ପ୍ରତି ଗୁରୁତ୍ବ ଦିଆଯାଇ ମରାମତି ସହ ଶିକ୍ଷକ ନିଯୁକ୍ତି କରାଯାଇପାରିଲେ ବହୁ ଛାତ୍ର ଛାତ୍ରୀ ଉପକୃତ ହୋଇପାରିବେ ।