କନକ ବ୍ୟୁରୋ:୨୦୧୧ – ଦଶମରେ ଫେଲ୍
୨୦୧୯ - UPSC ପ୍ରିଲିମ୍ – ଫେଲ୍
୨୦୨୦ – UPSC – ଇଣ୍ଟରଭ୍ୟୁ – ରିଜେକ୍ଟ
୨୦୨୧- ଇଣ୍ଟରଭ୍ୟୁ – ରିଜେକ୍ଟ
୨୦୨୨- UPSC (AIR-644) – IRS
୨୦୨୩- UPSC – ( AIR-555) – IPS
୨୦୨୪ – UPSC (AIR-483) -IPS
ଆମେ କହୁଛୁ ଆଇପିଏସ୍ ଈଶ୍ବର ଗୁରଜରଙ୍କ କଥା । କେବେ କେବେ ଜୀବନ ମଣିଷକୁ ନେଇ ଏମିତି ମୋଡ଼ରେ ଛିଡ଼ା କରିଦିଏ ଯେଉଁଠି ସେ ଭାବେ ଆଉ କିଛି କରିହେବନି । କିନ୍ତୁ ସେତିକିବେଳେ ଯଦି କେହି ଟିକେ ପିଠି ଥାପୁଡ଼ାଇଦିଏ , ମନରେ ପୁଣି ଇଚ୍ଛା ଆଉ ଆତ୍ମବିଶ୍ବାସ ଦାନା ବାନ୍ଧେ । ଯେଉଁ ଇଚ୍ଛା ଆଉ ସ୍ବପ୍ନ ମନର କେଉଁ ଏକ କୋଣରେ ବସା ବାନ୍ଧିଥାଏ ତାକୁ ସାକାର ରୂପ ଦେବାକୁ ସତ କରିବାକୁ ମଣିଷ ଅଣ୍ଟା ଭିଡ଼େ । ଏମିତି ଏକ ଘଟଣା ମୋଡ଼ରେ ମାଡ଼ିଚାଲିଥିଲା ଈଶ୍ବରଙ୍କ ଜୀବନ । ବିଫଳତା, ଟିକେ ସଫଳତା, ପୁଣି ବିଫଳତା ତାପରେ ସଫଳତା ଏହାରି ଭତରେ ସେ ଏବେ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ପ୍ରେରଣା ।
ଆପଣ 12th ଫେଲ୍ ହୋଇଥିବା ଆଇପିଏସ୍ ମନୋଜ ଶର୍ମାଙ୍କ କାହାଣୀ ଜାଣିଥିବେ ଫିଲ୍ମରେ ଦେଖିବି ଥିବେ । ଆଜି ଆମେ ଆଉ ଜଣେ ଅଧିକାରୀଙ୍କ କଥା କହୁଛୁ ଯିଏ ଘୋର ବିଫଳତା ପରେ ବି ହାର ମାନନଥିଲେ । ଆଉ ବାରମ୍ବାର ବିଫଳତାକୁ ସାମ୍ନା କରିବା ପରେ ସଫଳତାର ମୁକୁଟ ପିନ୍ଧିଛନ୍ତି । ଆଜି ସେ ଜଣେ ଚର୍ଚ୍ଚିତ ଆଇପିଏସ୍ ।
ରାଜସ୍ଥାନ ବିଲୱାଡ଼ା ଜିଲ୍ଲାର ଏକ ନିପଟ ଗାଁର ଗରିବ ଚାଷୀ ପରିବାରର ପୁଅ ଈଶ୍ବର ଗୁରଜର । ବାପା ବିଲରେ କାମ କରି ପରିବାର ପୋଷନ୍ତି, ମା ଗୃହିଣୀ । ପିଲାବେଳେ ପାଠରେ ଧୀମା ଥିବା ଈଶ୍ବର ଚେଷ୍ଟା ତ କରୁଥିଲେ । କିନ୍ତୁ ଭଲ ପାଠ ହେଉନଥିଲା । ଠିକ୍ ଦଶମରେ ଫେଲ୍ ହୋଇଗଲେ । ତାଙ୍କୁ ଲାଗିଲା ତାଙ୍କ ଦ୍ବାରା ଆଉ ପାଠସାଠ ହେବନି । ତେଣୁ ଆଉ ପଢ଼ିବେନି ବୋଲି ଘରେ କହିଲେ । କିନ୍ତୁ ବାପା, ଚାଷୀ ହେଲେ କ’ଣ ହେଲା ତାଙ୍କ ଦୂର ଦୃଷ୍ଟି କିନ୍ତୁ ବେଶ୍ ପ୍ରଶଂସନୀୟ । ପୁଅକୁ ବୁଝାଇସୁଝାଇ ପୁଣି ଦଶମ ପରୀକ୍ଷା ଦେବାକୁ କହିଥିଲେ ବାପା ଶୁଭଲାଲ ଗୁରଜର ।’ଭରସା ହାରେନା, ପରିଶ୍ରମ କର, ଆଗକୁ ବହୁତ ଭଲ ହେବ’; ବାପାଙ୍କ ଏଇ କେଇ ପଦ କଥା ତାଙ୍କ ମନରେ ଘର କରିଥିଲା । ଦିନ ରାତି ପଢ଼ି ଦଶମ ପରୀକ୍ଷାରେ ସେକେଣ୍ଡ ଡିଭିଜନ୍ ପାଇଲେ । ଏହାପରେ ଗାଁ ପାଖ କଲେଜରେ ପଢ଼ିଲେ ଏବଂ ଦ୍ବାଦଶରେ ୬୮ ପ୍ରତିଶତ ମାର୍କ ରଖି ପାସ୍ କଲେ । ଏହାପରେ ସେ ଅଜମେର ୟୁନିଭର୍ସିଟିରୁ ଗ୍ରାଜୁଏସନ୍ ଶେଷ କଲେ । ପଢ଼ା ସହ ଘର କାମରେ ବି ସହଯୋଗ କରୁଥିଲେ ।
୨୦୧୯ରେ ଈଶ୍ବରଙ୍କୁ ରାଜସ୍ଥାନର ଏକ ପ୍ରାଇମେରୀ ସ୍କୁଲରେ ଶିକ୍ଷକତା ପାଇଁ ସୁଯୋଗ ମିଳିଲା । ଏହା ତାଙ୍କ ପାଇଁ ସଫଳତାର ଆଦ୍ୟ ପାହାଚ ଥିଲା । କିନ୍ତୁ ତାଙ୍କ ସ୍ବପ୍ନ ୟାଠାରୁ ବି ବଡ଼ ଥିଲା । ସେ ଲୋକଙ୍କ ସେବା କରିବାକୁ ଚାହୁଥିଲେ । ତେଣୁ ସିଭିଲ ସର୍ଭିସ୍ ଏଥିପାଇଁ ଠିକ୍ ବାଟ ବୋଲି ଭାବି ୟୁପିଏସିସି ପାଇଁ ପ୍ରସ୍ତୁତ ହେଲେ ।
୨୦୧୯ରେ ପ୍ରଥମ ଥର ୟୁପିଏସସି ପରୀକ୍ଷାରେ ବସିଲେ । କିନ୍ତୁ ବିଫଳ ହେଲେ । ୨୦୨୦ରେ ପୁଣି ଚେଷ୍ଟା କଲେ କିନ୍ତୁ ଏଥିରେ ଇଣ୍ଟରଭ୍ୟୁରେ କଟିଗଲେ । ୨୦୨୧ରେ ପୁଣି ବିଫଳତା । ତଥାପି ହାର୍ ମାନିଲେନି । ଶେଷରେ ଈଶ୍ବରଙ୍କ ନିଷ୍ଠା ଓ ପରିଶ୍ରମ ଆଗରେ ନଇଁଥିଲା ବିଫଳତା , ଉଇଁଥିଲା ସଫଳତାର ସୂରୁଜ । ୨୦୨୨ରେ ୟୁପିଏସସିରେ ୬୪୪ ରାଙ୍କ ପାଇ ଆଇଆରଏସ୍ ପାଇଲେ । ଏହାପରେ ୨୦୨୩ରେ ୫୫୫ ରାଙ୍କ ପାଇ ଆଇପିଏସ୍ ପାଇଲେ । ପୁଣି ୨୦୨୪ରେ ଭାଗ୍ୟ ପରଖିଲେ । ଏଥିରେ ୪୮୩ ରାଙ୍କ ରଖି ଦେଶର ଟପ୍ ଆଇପିଏସ୍ ଅଫିସରଙ୍କ ଭିତରେ ସ୍ଥାନ ପାଇଲେ ।
ଆଇପିଏସ୍ ପାଇବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରତିକ୍ରିୟା ଅନେକଙ୍କୁ ପ୍ରେରଣା ଦେଲା । ତାଙ୍କ ସଂଘର୍ଷ କାହାଣୀ ଓ ପଦେ କଥା ସମସ୍ତଙ୍କୁ ଛୁଇଁଥିଲା ... ବିଫଳତା ଜୀବନାର ଶେଷ ନୁହେଁ ।