କନକ ବ୍ୟୁରୋ: ଉତ୍ତର ପ୍ରଦେଶର ମିରଠର ଗଙ୍ଗାନଗରରେ ଥିବା ଏକ ଘର ରହସ୍ୟମୟ ମୃତ୍ୟୁର ଜନ୍ତା ପାଲଟିଛି । ଗତ ଆଠ ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ସମସ୍ତେ ଏହାକୁ ନିୟତି ଏକ କ୍ରୁର ଖେଳ ବୋଲି ଭାବୁଥିଲେ । କିନ୍ତୁ ଏବେ ଏହି ମୃତ୍ୟୁ ପଛରେ ଥିବା ସତ୍ୟ ସାମ୍ନାକୁ ଆସିଛି । ଏଗୁଡ଼ିକ କୌଣସି ସଂଯୋଗ ନୁହେଁ, ବରଂ କୋଟି କୋଟି ଟଙ୍କା ବୀମା ଠକେଇର ଏକ ସାଂଘାତିକ ଷଡ଼ଯନ୍ତ୍ର । ଏହି ଚାଞ୍ଚଲ୍ୟକର ଘଟଣାର ସତ ସମସ୍ତଙ୍କୁ ଚକିତ କରିଛି ।
ଏହି ପରିବାରର ପ୍ରଥମ ମୃତ୍ୟୁ ୨୦୧୭ ମସିହାରେ ଘଟିଥିଲା । ପ୍ରଭା ଦେବୀ ତାଙ୍କ ପୁଅ ବିଶାଲ ସିଂଘଲଙ୍କ ସହିତ ଦୁଇ ଚକିଆ ଯାନରେ ଯାଉଥିଲେ । ହଠାତ୍ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଲୋକମାନେ ଏହି ମୃତ୍ୟୁକୁ ଏକ ଦୁର୍ଭାଗ୍ୟ ବୋଲି ଭାବି ଦୁଃଖ ପ୍ରକାଶ କରିଥିଲେ । ହେଲେ ପାଞ୍ଚ ବର୍ଷ ପରେ, ୨୦୨୨ ମସିହାରେ, ପରିବାରରେ ପୁଣି ଥରେ ଶୋକର ଛାୟା ଖେଳିଗଲା । ଏଥର, ବିଶାଲଙ୍କ ସ୍ତ୍ରୀ ଏକତାଙ୍କର ଅଚାନକ୍ ମୃତ୍ୟୁ ହୋଇଥିଲା ।
ତାଙ୍କୁ ହୃଦଘାତ ହୋଇଥିଲା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡିସଚାର୍ଜ ହେବା ସତ୍ତ୍ୱେ, ସେ ବଞ୍ଚି ପାରି ନଥିଲେ । ଏକ ସାଧାରଣ ଅସୁସ୍ଥତା ଘାତକ ପାଲଟିଗଲା, ପରିବାରକୁ ଶୋକରେ ବୁଡ଼ାଇ ଦେଲା । ପରିବାରରେ କେବଳ ବାପା ଏବଂ ପୁଅ ରହିଗଲେ । କିନ୍ତୁ ମାର୍ଚ୍ଚ 2024ରେ, ପୁଣି ଆଉ ଏକ ଦୁଃଖଦ ଘଟଣା ଘଟିଲା । ବିଶାଲଙ୍କ ବାପା ମୁକେଶ ସିଂଘଲ, ଯିଏ ପେଶାରେ ଜଣେ ଫଟୋଗ୍ରାଫର ଥିଲେ । ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଗଡ଼ ଗଙ୍ଗାରୁ ଫେରିବା ସମୟରେ, ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ଯାହା ପରିବାରକୁ ତୃତୀୟ ଥର ପାଇଁ ଶୋକରେ ବୁଡ଼ାଇ ଦେଇଥିଲା । ତିନୋଟି ମୃତ୍ୟୁକୁ ସମସ୍ତେ ସେମାନଙ୍କ ଦୁର୍ଭାଗ୍ୟ ବୋଲି ଭାବିଥିଲେ । କିନ୍ତୁ ପ୍ରକୃତ ସତ୍ୟ ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ବିଶାଲ ତାଙ୍କ ପିତାଙ୍କ ମୃତ୍ୟୁ ପରେ ଏକ ବୀମା କ୍ଲେମ୍ କରିଥିଲେ । ବୀମାର ପରିମାଣ 39 କୋଟି ଟଙ୍କା ଥିଲା । ଏହି ରାଶି ଗୋଟିଏ ପଲିସିରୁ ନୁହେଁ, ବରଂ 60ଟି ପୃଥକ ବୀମା ପଲିସିରୁ କ୍ଲେମ୍ କରାଯାଇଥିଲା ।
ଏହା ଶୁଣି ବୀମା କମ୍ପାନିର ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ଜାଣିଲେ ଯେ ବିଶାଲ ଏବଂ ତାଙ୍କ ବାପା ପ୍ରତିବର୍ଷ ପ୍ରାୟ 30 ଲକ୍ଷ ଟଙ୍କା ପ୍ରିମିୟମ୍ ଦେଉଥିଲେ । ହେଲେ ସିଂହଲ ପରିବାର ଆର୍ଥିକ ଭଲ ନଥିଲା । ମୁକେଶ ସିଂହଲ ନିଜେ ଜଣେ ମଧ୍ୟମ ଧରଣର ଫଟୋଗ୍ରାଫର ଥିଲେ, ଏବଂ ବିଶାଲଙ୍କର କୌଣସି ବଡ଼ ବ୍ୟବସାୟ ନଥିଲା । ଏଠି ପ୍ରଶ୍ନ ଉଠିଥିଲା ଏତେ ମୋଟା ପଲିସି କାହିଁକି ନିଆଯାଇଥିଲା?
ବୀମା କମ୍ପାନିଗୁଡ଼ିକ ତଦନ୍ତ କରୁଥିବା ସମୟରେ, ଆଉ ଏକ ଚାଞ୍ଚଲ୍ୟକର ଅଭିଯୋଗ ପୁଲିସ ପାଖରେ ପହଞ୍ଚିଲା । ଅଭିଯୋଗକାରୀ ଜଣେ ମହିଳା ଥିଲେ ଯିଏ ନିଜକୁ ବିଶାଲଙ୍କ ଚତୁର୍ଥ ପତ୍ନୀ ବୋଲି ଦାବି କରୁଥିଲେ । ସେ ଦାବି କରିଥିଲେ ଯେ ବିଶାଲ ତାଙ୍କ ନାମରେ 3 କୋଟି ଟଙ୍କାର ଏକ ବୀମା ପଲିସି ମଧ୍ୟ ନେଇଥିଲେ । ସେ କହିଥିଲେ ଯେ ବିଶାଲ ଯେଉଁମାନଙ୍କ ନାମରେ ବୀମା ପଲିସି ନେଇଥିଲେ ସେମାନଙ୍କର ରହସ୍ୟମୟ ଭାବରେ ମୃତ୍ୟୁ ହୋଇଛି। ସେ ମଧ୍ୟ ଭୟଭୀତ ଅଛନ୍ତି।
ପରେ ପୁଲିସ ତଦନ୍ତର ପର୍ଦ୍ଦାଫାସ ହେବା ସହିତ, ଗୋଟିଏ ପରେ ଗୋଟିଏ ଗୁପ୍ତ ତଥ୍ୟ ସାମ୍ନାକୁ ଆସିଥିଲା । ୨୦୧୭ରେ ତାଙ୍କ ମାଆଙ୍କ ମୃତ୍ୟୁ ପରେ ବିଶାଲଙ୍କୁ ୨୫ ଲକ୍ଷର ବୀମା କ୍ଲେମ ମିଳିଥିଲା । ତାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ୮୦ ଲକ୍ଷ ପାଇଥିଲେ । ସେ ତାଙ୍କ ବାପାଙ୍କ ମୃତ୍ୟୁ ପାଇଁ ୩୯ କୋଟି କ୍ଲେମ କରୁଥିଲେ । ହେଲେ ଏହି ମାମଲା ମେରଠ ପୁଲିସ ଏବଂ ସମ୍ଭଲ ଏଏସପି ଅନୁକୃତି ଶର୍ମାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ଯିଏ ପୂର୍ବରୁ ସମାନ ମାମଲାକୁ ସାମ୍ନା କରିଥିଲେ ।
ASP ଅନୁକୃତି ଶର୍ମାଙ୍କ ଦଳ ତଦନ୍ତ କରି ଏକ ବଡ଼ ଖୁଲାସା କରିଥିଲେ । ଏହା ଜଣାପଡ଼ିଲା ଯେ ମୁକେଶଙ୍କ ମୃତ୍ୟୁ ଏକ ସଡ଼କ ଦୁର୍ଘଟଣା ନୁହେଁ, ବରଂ ହସ୍ପିଟାଲରେ ଏକ ହତ୍ୟା ଥିଲା । ବିଶାଲ ପ୍ରଥମେ ତାଙ୍କ ବାପାଙ୍କୁ ହାପୁରର ନବଜୀବନ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଏବଂ ପରେ ତାଙ୍କୁ ମେରଠର ଆନନ୍ଦ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା । ମୃତ୍ୟୁକୁ ଏକ ଦୁର୍ଘଟଣା ଘୋଷଣା କରି ମାମଲାକୁ ଚପାଇ ଦିଆଯାଇଥିଲା ।
କେବଳ ଏତିକି ନୁହେଁ, ପୁଲିସ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ବିଶାଲ ତାଙ୍କ ବାପାଙ୍କ ମୃତ୍ୟୁର ମାତ୍ର ଦୁଇ ମାସ ପୂର୍ବରୁ ଋଣ ନେଇ ଚାରୋଟି ମହଙ୍ଗା କାର କିଣିଥିଲେ । ତାଙ୍କ ବାପାଙ୍କ ମୃତ୍ୟୁ ପରେ, ଋଣ କମ୍ପାନି ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ଋଣ ଛାଡ କରିଥିଲା । ବର୍ତ୍ତମାନ ତାଙ୍କ ପାଖରେ ଚାରୋଟି ମାଗଣା କାର ଥିଲା । ପୁଲିସ ତଦନ୍ତରୁ ଜଣାପଡିଲା ଯେ ଏହା ବିଶାଲର କାରନାମା । ସେ ନିଜେ ତାଙ୍କ ମାଆଙ୍କୁ ହତ୍ୟା କରିଥିଲେ ।
ବାପା ପ୍ରଥମେ ଏକ ମିଥ୍ୟା ଦୁର୍ଘଟଣାରେ ଆହତ ହୋଇଥିଲେ ଏବଂ ତା’ପରେ ହସ୍ପିଟାଲରେ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ଉଭୟ ଘଟଣାରେ, ଦୁର୍ଘଟଣା ପାଇଁ ଏକ ଅଜଣା ଗାଡ଼ି ଦାୟୀ କରାଯାଇଥିଲା, ଏବଂ ପ୍ରକୃତ ଗାଡ଼ିଟି ଗାଏବ ହୋଇଯାଇଥିଲା । ବିଶାଲ ଏକା ନଥିଲେ । ତାଙ୍କ ସହିତ ଜଣେ ବନ୍ଧୁ ଥିଲେ, ଯିଏ ପ୍ରତ୍ୟେକ ବୀମା ପଲିସିରେ ସାକ୍ଷୀ ଭାବରେ ଉପସ୍ଥିତ ହୋଇଥିଲେ । ଏହି ବନ୍ଧୁ ବୀମା ଠକେଇ ଷଡ଼ଯନ୍ତ୍ରରେ ତାଙ୍କର ସହଯୋଗୀ ଥିଲେ । ବିଶାଲର ଭାଉଜ ମଧ୍ୟ ରାଡାରରେ ଅଛନ୍ତି ।
ପୁଲିସ ବିଶାଲ ଏବଂ ତାଙ୍କ ବନ୍ଧୁଙ୍କୁ ଗିରଫ କରିଛି । କିନ୍ତୁ ତଦନ୍ତ ଏବେ ହସ୍ପିଟାଲ, ପୋଷ୍ଟମର୍ଟମ ହାଉସ ଏବଂ ଡାକ୍ତରଙ୍କ ଉପରେ କେନ୍ଦ୍ରିତ । ସନ୍ଦେହ କରାଯାଉଛି ଯେ ଡାକ୍ତର ଏବଂ ଫୋରେନସିକ୍ ବିଶେଷଜ୍ଞମାନେ ଏହି ମୃତ୍ୟୁଗୁଡ଼ିକୁ ଦୁର୍ଘଟଣା ଭାବରେ ପ୍ରଦର୍ଶିତ କରିବା ପାଇଁ ଏକ ଚାଲ ଖେଳିଥିଲେ । ଆଠ ବର୍ଷରେ ତିନୋଟି ମୃତ୍ୟୁ ଏବଂ 39 କୋଟି ଟଙ୍କାର ବୀମା । ଏହି କାହାଣୀ କେବଳ ଗୋଟିଏ ପରିବାରର ଦୁଃଖଦ ଘଟଣା ନୁହେଁ, ବରଂ ଏକ ପ୍ରମୁଖ ବୀମା ସିଣ୍ଡିକେଟର ପର୍ଦ୍ଦାଫାସ।