କନକ ବ୍ୟୁରୋ : ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଆଉ ମାତ୍ର କେଇ ମୁହୂର୍ତ୍ତର ଅପେକ୍ଷା । ବଡ଼ଦେଉଳର ରତ୍ନ ସିଂହାସନରୁ ବାହାରି ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି । ତେଣୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଜୋରଦାର ପ୍ରସ୍ତୁତି ଚାଲିଛି । ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ମଝିରେ ଦିନଟିଏ, ରଥାରୂଢ଼ ହେବେ ଚତୁର୍ଦ୍ଧାବିଗ୍ରହ । ଭକ୍ତଙ୍କ ଗହଣରେ ଗଡ଼ିବ ମହାପ୍ରଭୁଙ୍କ ରଥ । ସେଥିପାଇଁ ଏବେଠୁ ଚଳଚଞ୍ଚଳ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା । ଜଗନ୍ନାଥ ସଂସ୍କୃତି ପରମ୍ପରା ଆଧାରରେ ଏଠାରେ ରୀତିନୀତି ପାଳନ କରାଯାଏ । ପୁରୀ ରଥଯାତ୍ରା ଠାରୁ ଟିକେ ଭିନ୍ନ ବାରିପଦା ରଥଯାତ୍ରା । ଶ୍ରୀମନ୍ଦିରରୁ ଠାକୁରମାନେ ଧାଡ଼ି ପହଣ୍ଡିରେ ରଥାରୂଢ଼ ହେଉଥିବା ବେଳେ ବାରିପଦାରେ ଗୋଟି ପହଣ୍ଡିରେ ରଥାରୂଢ଼ ହୁଅନ୍ତି । ଆଉ ଏଠାରେ ଦିନେ ନୁହେଁ ଦୁଇ ଦିନ ଧରି ଟଣାଯାଏ ରଥ । ରଥ ଉପରୁ ଭକ୍ତଙ୍କୁ ବଣ୍ଟାଯାଏ ସ୍ୱତନ୍ତ୍ର ଗୁଡ଼ ଲଡୁ ।
୪୫୦ ବର୍ଷ ହେଲାଣି ବାରିପଦାରେ ପୂଜା ପାଉଛନ୍ତି ମହାପ୍ରଭୁ ଶ୍ରୀ ଶ୍ରୀ ହରିବଳଦେଵଜିଉ । ୧୫୭୫ ମସିହାରେ ବାରିପଦାରେ ମନ୍ଦିର ପ୍ରତିଷ୍ଠା କରାଇଥିଲେ ତତ୍କାଳୀନ ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜଦେଓ । ସେବେଠୁ ରତ୍ନସିଂହାନରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତି । ଆଜି ଠାକୁର ମାନେ ଅଣସର ପିଣ୍ଡିରୁ ବାହାରକୁ ଆସିବା ପରେ ଆସନ୍ତାକାଲି ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ ପାଳନ ହେବ ।
ଚଳିତବର୍ଷ ରଥଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସେବା, ଅଗ୍ନିଶମ ବିଭାଗ ପକ୍ଷରୁ ନିରାପତ୍ତା ବ୍ୟବସ୍ଥା ସହ ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ସିସିଟିଭି ସର୍ଭିଲାନ୍ସରେ ରଖିବାକୁ ପଦକ୍ଷେପ ନିଆଯାଇଛି ।