ଆସନ୍ତାକାଲି ବାରବାଟୀରେ ଭାରତ-ଇଂଲଣ୍ଡ ହାଇଭୋଲଟେଜ୍ ଲଢେଇ ଥିବା ବେଳେ ଆଜି ଖେଳାଳିଙ୍କୁ ଦେଖିବାକୁ ଷ୍ଟାଡିୟମରେ ଜମିଥିଲା ଶହ ଶହ କ୍ରିକେଟପ୍ରେମୀଙ୍କ ଭିଡ଼ । ସନ୍ଧ୍ୟା ୫ଟାରେ ଟିମ୍ ଇଣ୍ଡିଆ ଖେଳାଳି ବାରବାଟୀରେ ପହଞ୍ଚି ଦେଢ ଘଣ୍ଟା କାଳ ଜୋରଦାର ଅଭ୍ୟାସ କରିଥିଲେ । ସବୁ ଖେଳାଳି ନେଟସରେ ବ୍ୟାଟିଂ ଓ ବୋଲିଂ ଅଭ୍ୟାସ କରିଥିଲେ । ଏହି ସମୟରେ ନିଜ ନିଜ ପସନ୍ଦର କ୍ରିକେଟରଙ୍କୁ ଦେଖିବାକୁ ଗ୍ୟାଲେରିରେ ଥିଲା ଲୋକଙ୍କ ଅସମ୍ଭାଳ ଭିଡ଼ । କିଏ ରୋହିତଙ୍କ ପାଇଁ ତ କିଏ ବିରାଟ ପୁଣି କିଏ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ଆସିଥିଲେ । ଖେଳାଳିମାନେ ରହୁଥିବା ହୋଟେଲ ମେ ଫେୟାରରୁ ଷ୍ଟାଡିୟମ୍ ବାହାରିବା ବେଳେ ନିଜର ପ୍ରିୟ ଖେଳାଳିଙ୍କ ଟିକେ ଝଲକ୍ ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ଲୋକେ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟରୁ ଭଲ ଇନିଂସ ଆଶା ରଖିଛନ୍ତି କ୍ରୀଡ଼ାପ୍ରେମୀ ।
ପ୍ରାକ୍ଟିସ୍ କରିବା ପୂର୍ବରୁ ଆଜି ସକାଳେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଟିମ୍ ଇଣ୍ଡିଆର ତିନି କ୍ରିକେଟର ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର ଓ ବରୁଣ ଚକ୍ରବର୍ତ୍ତୀ କଡ଼ା ସୁରକ୍ଷା ଭିତରେ ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟକୁ ଯାଇ ପ୍ରଥମେ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ପରେ ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରି ବେଢା ପରିକ୍ରମା କରିଥିଲେ । ତିନି ଖେଳାଳିଙ୍କୁ ସେବାୟତ ପାଛୋଟି ନେବା ସହ ଆଶୀର୍ବାଦ କରିଥିଲେ ।
ଆଜି ଅପରାହ୍ନ ଗୋଟାଏରୁ ୪ଟା ପର୍ୟ୍ୟନ୍ତ ଇଂଲଣ୍ଡ ଖେଳାଳି ବାରବାଟୀରେ ଅଭ୍ୟାସ କରିବାର କାର୍ୟ୍ୟକ୍ରମ ଥିଲା । କିନ୍ତୁ ଇଂଲଣ୍ଡ ଟିମ୍ କଟକ ନଯାଇ ଭୁବନେଶ୍ବର ଗଲ୍ଫ କ୍ଲବରେ ଗଲ୍ଫ ଖେଳିଥିଲେ । କାଲିର ଦମଦାର ମ୍ୟାଚ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ତାସହ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ ମୁତୟନ ହେବେ । ସକାଳ ୯ଟାରୁ ଷ୍ଟାଡିୟମକୁ ଦର୍ଶକମାନେ ପ୍ରବେଶ କରିପାରିବେ ।