କନକ ବ୍ୟୁରୋ : ନଦୀପଠାରୁ ମଇଁଷିକୁ ଟାଣିନେଲା କୁମ୍ଭୀର । ସାଳନ୍ଦୀ ନଦୀ କୂଳରେ ମଇଁଷି ପାଣି ପିଉଥିବା ବେଳେ କୁମ୍ଭୀର ଟାଣି ନେଇଛି । ସାଳନ୍ଦୀ ନଦୀରେ କୁମ୍ଭୀର ବୁଲୁଥିବା ଖବର ପାଇବା ପରେ ଆରଡ଼ି ନିକଟସ୍ଥ ଶୀତଳପୁର ଗାଁରେ ଆତଙ୍କ ଖେଳିଯାଇଛି । ସାଳନ୍ଦୀ ନଦୀରେ ୧୫ରୁ ୧୬ ଫୁଟ ଲମ୍ୱର ଏକ କୁମ୍ଭୀରକୁ ଲୋକ ଦେଖିଥିବା କହୁଛନ୍ତି । ଏପରିକି ନଦୀକୂଳିଆ ଲୋକ ଭୟରେ ନଦୀକୂଳକୁ ଜଗି ରହିଛନ୍ତି । ଗ୍ରାମବାସୀ ମାନଙ୍କର ଯିବା ଆସିବା କରିବା ପାଇଁ ନଦୀବନ୍ଧ ରାସ୍ତା ହେଉଛି ମୂଖ୍ୟ ମାଧ୍ୟମ । ପ୍ରତିଦିନ ନଦୀବନ୍ଧ ଦେଇ କୋମଳମତି ପିଲାମାନେ ସ୍କୁଲକୁ ଯାଉଛନ୍ତି , ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଲୋକେ ମଧ୍ୟ ଯାତାୟତ କରୁଛନ୍ତି । ତେଣୁ ଅଘଟଣ ଆଶଙ୍କା ରହିଛି । ତୁରନ୍ତ ବନବିଭାଗ କୁମ୍ଭୀରକୁ ନଦୀରୁ ଉଦ୍ଧାର କରି ଅନ୍ୟତ୍ର ଛାଡିବାକୁ ଶୀତଳପୁର ଗ୍ରାମବାସୀ ଦାବି କରିଛନ୍ତି ।