କନକ ବ୍ୟୁରୋ : ଜଣେ ନାବାଳକଙ୍କୁ ଭଗବାନ ସଜାଇ ପାଦ ତଳେ ତୁଳସୀ ଆଉ ଗୀତା ଭାଗବତ ରଖି ପୂଜା କରାଯାଉଛି । ଏ ଚିତ୍ର ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରିରେ ଏକ ଆଶ୍ରମ ବୈକୁଣ୍ଠ ଧାମର । ଏଠାରେ ସଂପୃକ୍ତ ନାବାଳକଙ୍କୁ କଳ୍କୀ ଅବତାର ଭାବେ ପ୍ରଦର୍ଶନ କରାଯାଉଛି । ଆଶ୍ରମ ଚଳାଉଛନ୍ତି ମୁଖ୍ୟ ପ୍ରବଚକ କାଶୀନାଥ ମିଶ୍ର । ସେ ନିଜର ୧୭ ବର୍ଷୀୟ ନାବାଳକ ପୁଅକୁ କଳ୍କୀ ଅବତାର ବୋଲି ଦର୍ଶାଉଛନ୍ତି । କାଶୀନାଥ ନିଜ ପୁଅଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଇ ପାଦରେ ତୁଳସୀ ଓ ଗୀତା ରଖିଥିବା ଫଟୋ ଭାଇରାଲ ହେବା ପରେ ବିବାଦ ବଢିଛି । ଧର୍ମ ନାମରେ ସେ ବ୍ୟବସାୟ କରୁଛନ୍ତି ବୋଲି ଅଭିଯୋଗ ଆଣିଛି ରାଜ୍ୟ ସମାଜସେବୀ ମହାସଂଘ । ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ଆଶ୍ରମର ଚେୟାରମେନ ପାଣ୍ଡବ ପରିଡ଼ା । 

Advertisment

ସନାତନ ଧର୍ମରେ  ଗୀତା ଭାଗବତ ଓ ତୁଳସୀକୁ ପୂଜା କରାଯାଇଥାଏ । ତେଣୁ ଜଣେ ନାବାଳକ ପାଖରେ ପାଦତଳେ ପବିତ୍ର ବସ୍ତୁକୁ ରଖିବାକୁ ସହଜରେ ଅନେକ ଗ୍ରହଣ କରିପାରୁନାହାନ୍ତି । ଅଭିଯୋଗ ଆଧାରରେ  ଆଶ୍ରମରେ ପଶି ପୁଲିସ ପଚରାଉଚରା କରିଛି । ୮ ବର୍ଷ ହେବ ସ୍ଥାନୀୟ ଲୋକଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ମନା ହୋଇଛି । କାଳେ କିଛି ମିଛ ଧରା ପଡ଼ିଯିବା ଯୋଗୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳୁନି ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଧର୍ମ ନାମରେ ବେପାର ହେଉଛି ବୋଲି କହିଛନ୍ତି ହେତୁବାଦି ।

ଏଫଭିଓ-ସୂଚନା ଅନୁସାରେ, ବୈକୁଣ୍ଠ ଧାମ ଆଶ୍ରମର ମୁଖ୍ୟ ପ୍ରବଚକ କାଶୀନାଥ ମିଶ୍ର ଏବେ କେଉଁଠି ଅଛନ୍ତି ତାର ଖବର କାହା ପାଖରେ ନାହିଁ । ଆଉ ପୁଲିସ ଚଢାଉ ପୂର୍ବରୁ ତାଙ୍କ ନାବାଳକ ପୁଅ ବି କେଉଁ କେଉଁଠି ଅଛନ୍ତି ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି । ପ୍ରଶ୍ନ ଉଠୁଛି
- ଭକ୍ତି ନା ବ୍ୟବସାୟ!
- ଲୋକଙ୍କ ଭାବନା ସହ ଖେଳାଯାଉଛି କି ଖେଳ?
-କୁଆଡେ ଗଲେ କାଶୀନାଥ ଓ ତାଙ୍କ ପୁଅ?
-ପୁଲିସ ପୂରା ଘଟଣା ଉପରେ ପରଦା ହଟାଇବ କି ?