କନକ ବ୍ୟୁରୋ: ବିଜେଡି ସରକାର ବଦଳି, ବିଜେପି ସରକାର ଗଢ଼ିବାକୁ ଏହା ଭିତରେ ୪ମାସ ହେଲାଣି। କିନ୍ତୁ ରାଜ୍ୟର ବହୁ ସାମ୍ବିଧାନିକ ସଂସ୍ଥା ନିଷ୍କ୍ରିୟ ହୋଇ ରହିଛି। ଲୋକାୟୁକ୍ତ, ସୂଚନା କମିଶନର, ଓଇଆରସି ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ଫାଙ୍କା ପଡିଥିବାରୁ ଠପ୍ ହୋଇଯାଇଛି ଅନେକ ଜନ ହିତକର କାର୍ଯ୍ୟ।
- ଅଚଳ ହୋଇଗଲା ସାମ୍ବିଧାନିକ ସଂସ୍ଥା
- ଖାଲି ପଡିଛି କୋଠା, ନାହାନ୍ତି ଅଧ୍ୟକ୍ଷ
ଲୋକାୟୁକ୍ତ , ସୂଚନା କମିଶନ, ଓଇଆରସି, ରାଜ୍ୟ ନିର୍ବାଚନ କମିସନ ରାଜ୍ୟର ପ୍ରମୁଖ ସାମ୍ବିଧାନିକ ସଂସ୍ଥା। ଲୋକଙ୍କ ସେବା ପାଇଁ ଏହି ସବୁ ସଂସ୍ଥା ଗଠନ ହୋଇଥିଲା। କିନ୍ତୁ ବିଡମ୍ବନାର ବିଷୟ କୋଠା ଛିଡା ହୋଇଛି, ହେଲେ ଚେୟାର ଖାଲି। ମାସ ମାସ ଧରି ଫାଙ୍କା ପଡିଛି ଏହି ସବୁ ସଂସ୍ଥାର ଅଧ୍ୟକ୍ଷ ପଦ।
- ମାସ ମାସ ଧରି ଲୋକାୟୁକ୍ତ ପଦବୀ ଫାଙ୍କା ପଡିଛି
- ୨୦୨୩ ଅକ୍ଟୋବର ମାସରୁ ଫାଙ୍କା ପଡିଛି ୩ ସୂଚନା କମିସନର ପଦ
- ୨୦୨୪ ଅଗଷ୍ଟରୁ ଫାଙ୍କା ପଡିଛି ରାଜ୍ୟ ନିର୍ବାଚନ କମିସନର ପଦ
- ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ବା ଓଇଆରସି ଅଧ୍ୟକ୍ଷ ପଦ ମଧ୍ୟ ଫାଙ୍କା ପଡିଛି
ଏଭଳି ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ପଦବୀ ଫାଙ୍କା ପଡିବା ଫଳରେ ଠପ୍ ହୋଇଯାଇଛି ବିଭିନ୍ନ କାର୍ଯ୍ୟ। ସୂଚନା କମିସନରେ ମାମଲା ସଂଖ୍ୟା ବଢ଼ି ବଢ଼ି ଚାଲିଛି, କିନ୍ତୁ ଆବେଦନ କଲେ ବି ତଥ୍ୟ ପାଇବା ପାଇଁ ବର୍ଷ ବର୍ଷ ଲାଗି ଯାଉଛି। ଲୋକାୟୁକ୍ତରେ ଶୁଣାଣି ବନ୍ଦ ହୋଇଯାଇଛି, ଓଇଆରସି କାର୍ଯ୍ୟ କରୁନି।
ରାଜ୍ୟରୁ ଦୁର୍ନୀତି ହଟାଇବା ନାରା ଦେଇ କ୍ଷମତାକୁ ଆସିଥିଲା ବିଜେପି। ହେଲେ, ଡବଲ ଇଞ୍ଜିନ ସରକାର ଆସିବାର ଚାରି ମାସ ପରେ ବି ଦୁର୍ନୀତି ରୋକିବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏହିସବୁ ସାମ୍ବିଧାନିକ ପଦବୀରେ ନିଯୁକ୍ତି ଦିଆ ନଯିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।
ସୂଚନାଯୋଗ୍ୟ ଯେ, ସରକାର ନିଷ୍ପତି ନେବାରେ ବିଳମ୍ବ ଯୋଗୁଁ, ରାଜ୍ୟ ସୂଚନା କମିସନରେ ପ୍ରାୟ ୨୦ ହଜାରରୁ ଅଧିକ ମାମଲା ପଡିରହିଛି। ଲୋକାୟୁକ୍ତରେ ୮ଶହରୁ ଅଧିକ ମାମଲା ପଡିରହିଛି। କୋର୍ଟରେ ଏପର୍ଯ୍ୟନ୍ତ ସରକାରୀ ଓକିଲ ବି ନିଯୁକ୍ତି ଦିଆଯାଇପାରିନି। ତେବେ ସରକାର ଏହି ସବୁ ସାମ୍ବିଧାନିକ ପଦବୀ କେବେ ପୂରଣ କରିବେ ତା ଉପରେ ସମସ୍ତ ନଜର ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)