କନକ ବ୍ୟୁରୋ : ସାତ ବର୍ଷର କୁନି ଝିଅ । କୁନି କୁନି ପାଦରେ ବେଡ଼ି ପଡ଼ିଛି । ଚପଳାମି କରିବା ବୟସରେ ପାଞ୍ଚ ବର୍ଷ ହେଲା ଖୁଣ୍ଟରେ ବନ୍ଧା ପଡ଼ିଛି କୁନି ଝିଅର ଶୈଶବ । ସାଙ୍ଗ ସାଥୀ ଆସିଲେ ଖେଳୁଛି, ସେମାନେ ଚାଲିଗଲେ ଦାଣ୍ଡରେ ଗଡ଼ି କାନ୍ଦୁଛି । ପୁଣି କେତେବେଳେ ଗୋଡ଼ରୁ ବେଡ଼ି ଖୋଲିଦେବାକୁ ବାପାଙ୍କୁ ନେହୁରା ହେଉଛି । ମାନସିକ ବିକାର ଗ୍ରସ୍ତ ହେବା ପରେ ଏଇ ଖୁଣ୍ଟରେ ସକାଳୁ ସଞ୍ଜ ଯାଏଁ ବନ୍ଧା ପଡ଼ୁଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଧୋଡ୍ରାସିମୋଡ଼ା ଗାଁର ଏହି ଖବର , ଯିଏ ଦେଖିଲା ସେ ବିଚଳିତ ହେଉଛି । ଦେଓଜି ଗଣ୍ଡ ଓ ଲଳିତା ଗଣ୍ଡଙ୍କ ଅଳିଅଳି ଝିଅ ମୁକ୍ତେଶ୍ବରୀ । ମାନସିକ ବିକୃତି ଯୋଗୁଁ ଘରୁ ବାହାରି ଏଣେ ତେଣେ ଚାଲିଯିବା ଏବଂ ପାଖପଡିଶା ପିଲାଙ୍କୁ ମାରଧର କରିବା ଭୟ ରହିଛି । ତେଣୁ ଗୋଡ଼ରେ ବେଡ଼ି ବାନ୍ଧିଥିବା କହିଛନ୍ତି ବାପା ମା ' । 

Advertisment

ଝିଅକୁ ୨ବର୍ଷ ହୋଇଥିବା ବେଳେ ବାପା ମାଆ ଜାଣିବାକୁ ପାଇଲେ ଝିଅ ମାନସିକ ରୋଗରେ ପୀଡ଼ିତ । ଏ ହସ୍ପିଟାଲ ସେ ହସ୍ପିଟାଲ ବୁଲି ବୁଲି ନିରାଶ ହୋଇଛନ୍ତି । ବାପା ଦେଓଜି ଗଣ୍ଡ କୁଲି ମଜୁରି କଲେ ଘର ଚୁଲି ଜଳୁଛି । ତେଣୁ ଝିଅର ଚିକିତ୍ସା ପାଇଁ ଅର୍ଥ ଅଭାବ ଦେଓଜିଙ୍କ ବୁଦ୍ଧିବଣା କରିଦେଉଛି । ସରକାରୀ ସ୍ତରରେ ସହଯୋଗ ମିଳିଲେ ମୁକ୍ତେଶ୍ୱରୀ ଚିକିତ୍ସା ହୋଇ ସୁସ୍ଥ ହୁଅନ୍ତା, ଅନ୍ୟ ପିଲାଙ୍କ ଭଳି ସ୍କୁଲ ଯାଇପାରନ୍ତା । ଘଟଣା ଜାଣିବା ପରେ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ରାଇଘର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ମାନସିକ ବିକାରଗସ୍ତ କୁନି ଝିଅକୁ କେବେ ମିଳିବ ସରକାରୀ ସହାୟତା । କେବେ ସୁସ୍ଥ ହୋଇ ଘର ଅଗଣାରେ ମୁକ୍ତ ବିହଙ୍ଗ ଭଳି ଖେଳି, ବୁଲିପାରିବ ମୁକ୍ତେଶ୍ବରୀ ତାକୁ ଅପେକ୍ଷା । 

ଅଧିକ ପଢ଼ନ୍ତୁ---ସରୁଛି ଟୋକନ ଅବଧି, ଉଠୁନି ଧାନ ; ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଚାଷୀ